Unknown

 

 

 

 

 

 

 

 

 

 

 

 

ବାଘ

ଉଦୟନାଥ ଷଡ଼ଙ୍ଗୀ

 

ବାଘ

Image

-୧-

 

ଆମ ଦେଶରେ ଦୁଇଟି ସବୁଦିନିଆ ସାଧାରଣ ମାମୁଁ ଅଛନ୍ତି । ସେ ସମସ୍ତଙ୍କର ମାମୁଁ । ଆମ ବାପା, ଅଜା, ପଣଅଜାଙ୍କର ମାମୁଁ ଥିଲେ । ଆମେ ମଧ୍ୟ ତାକୁ ମାମୁଁ ବୋଲି ଡାକୁ । ଆମ ପୁଅ, ନାତି, ଅଣନାତି ହେଲେ, ସେମାନେ ବି ମାମୁଁ ବୋଲି ଡାକିବେ ।

ସେ ଦୁଇଟି ଭିତରୁ ଗୋଟିଏ ‘ଜହ୍ନମାମୁଁ’, ଆରଟି ‘ବାଘମାମୁଁ’ । ଜହ୍ନ ଆମ ପୃଥିବୀମାଆର ସାନ ଭାଇ; ତେଣୁ ସେ ଆମ ସମସ୍ତଙ୍କର ମାମୁଁ । କିନ୍ତୁ ବାଘ ଯେ କାହିଁକି ମାମୁଁ, ତା କେହି କହିପାରିବେ ନାହିଁ ।

ବାଘ ନାଁ ପଡ଼ିଲେ ସମସ୍ତେ ଛାନିଆ ହୋଇଯାଆନ୍ତି । ବାଘ ରୂପ ଦେଖିଲେ ଭୟରେ ଆଖି ବୁଜି ହୋଇଯାଏ । ଏପରି ଅବସ୍ଥାରେ ବି ତାକୁ ମାମୁଁ କହନ୍ତି ।

ଥରେ କେଉଁ ଯୁଗରେ କେଜାଣି ବଣଭିତରକୁ ଦଳେ ଶିକାରୀ ଯାଇଥିଲେ । ସେମାନେ ବାଘଭାଲୁ ଖୋଜୁଖୋଜୁ ଗୋଟିଏ ଅଦ୍ଭୁତ ଜନ୍ତୁ ଦେଖିଲେ । ଜନ୍ତୁର ଚେହେରା ଠିକ୍‍ ମଣିଷ ପରି; କିନ୍ତୁ ସେ ଆଣ୍ଠୁ ମାଡ଼ି ଚାଲୁଛି, ବାଘ ପରି ହୁଁ ହୁଁ ଗର୍ଜନ କରୁଛି । ମୁହଁ ମାଡ଼ି ତଳୁ ଖାଇବା ଜିନିଷ ପାଟିରେ ନେଇ ପୂରାଉଅଛି ।

ସେ ଜନ୍ତୁଟି ଏ ଶିକାରୀଙ୍କୁ ଦେଖି ଆଖିପିଛୁଳାକେ ବଣଭିତରେ ଲୁଚିଗଲା । ଅଦ୍ଭୁତ ଜନ୍ତୁ ଦେଖି ଏମାନେ ତାକୁ ଧରିବା ପାଇଁ ଧାଇଁଲେ । ବଣର ଚାରିଆଡ଼ ଘେରିଗଲେ । ବହୁତ ଖୋଜାଖୋଜି କଲେ । ମାତ୍ର ସେ ଜନ୍ତୁଟା ଯେ କେଉଁଠି ଲୁଚିଗଲା; ତାର ପତ୍ତା ମିଳିଲା ନାହିଁ ।

ତଥାପି ଶିକାରୀମାନେ ଛାଡ଼ିଲେ ନାହିଁ । ବଣ ଚାରିପାଖରେ ନିଆଁ ଲଗାଇଦେଲେ । ନିଆଁ ହୁ ହୁ ଜଳି ଉଠିଲା । ଶେଷକୁ ଗର୍ଜନ କରି ସେ ଜନ୍ତୁଟା ପଦାକୁ ଡେଇଁପଡ଼ିଲା । ଲୋକମାନେ ତାକୁ ମାଡ଼ିବସି ଧଇଲେ । ଏମାନଙ୍କ ହାତରୁ ମୁକୁଳିବା ଲାଗି ସେ ବହୁତ ଚେଷ୍ଟା କଲା । ଯାହାକୁ ପାଇଲା, ତାକୁ ପାଟିରେ କାମୁଡ଼ି ପକାଇଲା । କିନ୍ତୁ ମୁକୁଳି ଯାଇପାରିଲା ନାହିଁ । ସମସ୍ତେ ମିଶି ତାକୁ ବାନ୍ଧି ପକାଇଲେ; ଗାଆଁକୁ ଆଣିଲେ ।

ପ୍ରକୃତରେ ସେ ଜନ୍ତୁ ନୁହେଁ–ମଣିଷଟିଏ । ବାର ତେର ବର୍ଷ ତଳେ ସେ ଗାଁର ଜଣେ ଲୋକଙ୍କର ଗୋଟିଏ ଛୋଟ ପିଲା ହଠାତ୍‍ ହରଣଚାଳ ହୋଇ ଯାଇଥିଲା; ଏ ସେହି ପିଲା । ତାହାର ବାପା ମା ତାକୁ ଚିହ୍ନିଲେ ।

 

ପିଲାଟିକୁ ଘରେ ବାନ୍ଧି ରଖି ଭାତଡାଲି ଖାଇବାକୁ ଦେଲେ । କଥା କହିବାକୁ ଶିଖାଇଲେ । ଠିଆ କରାଇ ଗୋଡ଼ରେ ଚଲାଇଲେ । ପ୍ରଥମେ ପ୍ରଥମେ ଏ ସବୁ ତାକୁ ଅଡ଼ୁଆ ଲାଗୁଥିଲା । ପରେ ବହୁ କଷ୍ଟରେ କିଛି କିଛି ସେ ହାସଲ କଲା । ଦୋହଲି ଦୋହଲି ଦୁଇ ଗୋଡ଼ରେ ଚାଲିଲା; ଖନେଇ ଖନେଇ କଥା କହିଲା; କିନ୍ତୁ ଘରେ ରହିବାକୁ ଜମା ରାଜି ହେଲା ନାହିଁ । ଟିକିଏ ସୁବିଧା ପାଇଲେ ବଣକୁ ପଳାଇଯିବାକୁ ଚେଷ୍ଟା କଲା । କେତେଥର ବି ପଳାଇଗଲା-। ଲୋକେ ଯାଇ ଧରି ଆଣିଲେ, ଘରଭିତରେ ପୂରାଇ ତାଲା ପକାଇ ରଖିଲେ ।

 

ଘରେ ବହୁତ ଦିନ ରହିଲା ପରେ ସେ ମଣିଷ ପରି କଥାବାର୍ତ୍ତା କଲା । ଘର ତାକୁ ଏଣିକି ସୁଖ ଲାଗିଲା–ସେ ଆଉ ବଣକୁ ପଳାଇଯିବାକୁ ମନ କଲା ନାହିଁ ।

 

କିନ୍ତୁ ପିଲାଦିନ କଥା ସେ ଭୁଲିପାରିଲା ନାହିଁ । ତାଠାରୁ ଜଣାଗଲା, ବଣରେ ଗୋଟିଏ ବାଘ ତାକୁ ପାଳିଥିଲା । ତାର ଜ୍ଞାନ ହେଲାଦିନୁ ସେ ସେହି ବାଘ ପାଖରେ ରହି ଚଳିଆସିଛି । ପିଲାଟି ବେଳେ ବାଘ ତାକୁ ନିଜ ଗୁମ୍ଫାରେ ରଖିଥାଏ । ଚାରିପାଖରେ ଗୁଡ଼ିଏ, ଶୁଖିଲା ପତର ଶୁଖିଲା ଘାସ ଜମାଇ ତା ପାଇଁ ବିଛଣା କରିଦିଏ । ଦିନଯାକ ତାକୁ କୋଳରେ ପୂରାଇ ଶୋଇ ରହେ । ସନ୍ଧ୍ୟା ହେଲେ ପଦାକୁ ଯାଏ । ଯାହା ପଶୁମାରେ, ତାକୁ ନିଜେ ଖାଏ; କିଛି ମାଂସ ଆଣି ପିଲାକୁ ଦିଏ ।

 

କ୍ରମେ ସେ ବଡ଼ ହେଲା । ଗୁମ୍ଫାରୁ ପଦାକୁ ବାହାରିଲା । ବାଘ ତାକୁ ଜମା ପାଖଛଡ଼ା କରେ ନାହିଁ । ବଣର ଅନ୍ୟ ଜନ୍ତୁମାନେ ତାକୁ କେତେଥର ଖାଇବାକୁ ବସିଥିଲେ । ବାଘ ସେମାନଙ୍କୁ କାମୁଡ଼ି ଏପରି ଶିକ୍ଷା ଦେଲା ଯେ, ଏହାକୁ ମାରିବାକୁ ଆଉ କେହି ମନ କଲେ ନାହିଁ ।

 

କିଛିଦିନ ପରେ ସବୁ ବାଘଙ୍କର ସେ ଚିହ୍ନା ହୋଇଗଲା । ବାଘଦଳ ଭିତରେ ଗୋଟିଏ ହୋଇ ସେ ବଣରେ ବୁଲାବୁଲି କଲା । ପିଲାଏ ମାମୁଁ ଘରେ ବଢ଼ିଲା ପରି ସେ ବାଘ ପାଖରେ ବଢ଼ିଥିଲା; ତେଣୁ ବାଘ ତା ମାମୁଁ ।

 

ସେହିଦିନୁ ବାଘକୁ ସମସ୍ତେ ମାମୁଁ ବୋଲି କହିଆସୁଛନ୍ତି । ଅବଶ୍ୟ ସବୁ ବାଘ ମଣିଷଙ୍କୁ ଭଣଜା ଭଳି ଭାବନ୍ତି ନାହିଁ । ମଣିଷକୁ ଦେଖିଲେ ତାଙ୍କ ପାଟିରୁ ଲାଳ ବୁହେ; ପେଟ ଭୋକରେ ଆଉଟୁ ପାଉଟୁ ହୋଇଯାଏ । ମଣିଷ ରକ୍ତ ଚାଖିବାକୁ ମନ ହାଇଁପାଇଁ ହୁଏ । ଭଣଜାକୁ ଦେଖିଲେ କେଉଁ ମାମୁଁର ଭଲା ଏପରି ହେବ ?

 

ଅବଶ୍ୟ ଭାଗବତରେ ଅଛି, କଂସ ମାମୁଁ ଭଣଜା ଶ୍ରୀକୃଷ୍ଣଙ୍କୁ ମାରିବ ବୋଲି କେତେ ଫିକର କରିଥିଲା, କିନ୍ତୁ ଶେଷରେ ନିଜେ ମଲା ।

 

-୨-

 

ବାଘ ଏସିଆ ମହାଦେଶର ଜଙ୍ଗଲରେ ବହୁତ ଦେଖା ଯାଆନ୍ତି । ଆମ ଭାରତ ବର୍ଷର ପ୍ରାୟ ସବୁ ଅଞ୍ଚଳରେ ବାଘ ଅଛନ୍ତି । କିନ୍ତୁ ବଙ୍ଗଳାର ସୁନ୍ଦରବନ ବାଘଙ୍କ ପାଇଁ ପ୍ରସିଦ୍ଧ । ଏଠାରେ ରହୁଥିବା ବାଘ ପୃଥିବୀର ସବୁ ଅଞ୍ଚଳର ବାଘଙ୍କ ଅପେକ୍ଷା ବେଶି ବଳୁଆ, ଦେଖିବାକୁ ମଧ୍ୟ ଖୁବ୍‍ ସୁନ୍ଦର ।

 

ବାଘ କେତେ ପ୍ରକାରର ଅଛନ୍ତି । ସେମାନଙ୍କ ମଧ୍ୟରେ ମହାବଳ ବାଘ ପ୍ରଧାନ । ସେମାନଙ୍କ ତଳକୁ ଚିତାବାଘ ।

 

ଆମ ଓଡ଼ିଶାର ଜଙ୍ଗଲମାନଙ୍କରେ ବହୁତ ବାଘ ଅଛନ୍ତି । ସେଥିରୁ ଅଧିକାଂଶ ଚିତାବାଘ-। ବର୍ଷକୁ ହାରାହାରି ଆମ ଓଡ଼ିଶାରେ ୫୦୪ ଜଣ ଲୋକ ବାଘ କାମୁଡ଼ାରେ ମରନ୍ତି । କେତେ ଯେ ଗାଈଗୋରୁ, ମଇଁଷି, ଛେଳି, ମେଣ୍ଢାଙ୍କୁ ବାଘ ଖାଆନ୍ତି, ତାର ଇୟତ୍ତା ନାହିଁ ।

 

ବାଘମାନଙ୍କ ମୁହଁ ଗୋଲ । ନାକତଳେ କରଡ଼ା ନିଶ, ଆଖି ଦୁଇଟା ମଧ୍ୟ ଗୋଲଗୋଲ; ରାତିରେ ତାହା ଆଲୁଅ ଜାଳିଲା ପରି ଦେଖାଯାଏ ।

 

ଦେହର ପେଟତଳ ଧଳା, ହଳଦିଆ ରଙ୍ଗରେ ଲାଲରଙ୍ଗ ମିଶିଲେ ଯେପରି ଦେଖାଯିବ, ପିଠି ସେହି ରଙ୍ଗ ଦିଶେ । ତା ଉପରେ କଳା କଳା ଗାରସବୁ ପଡ଼ିଥାଏ । ଦେହଯାକ ରୁମ ପୂରି ରହିଥାଏ ।

 

ବଡ଼ ବଡ଼ ବାଘ ସବୁ ଲାଙ୍ଗୁଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଆଠ ନଅ ହାତଯାଏ ଲମ୍ବ ହୁଅନ୍ତି । ସେମାନଙ୍କ ଓଜନ ତିନି ମହଣରୁ ପାଞ୍ଚ ମହଣ ପର୍ଯ୍ୟନ୍ତ ହୋଇଥାଏ ।

 

ବାଘ ଦେହରେ ବହୁତ ବଳ । ଗୋଟାଏ ବଡ଼ ବଳଦ ବା ମଇଁଷିକୁ ସେ ମୁହଁରେ କାମୁଡ଼ି ଧରି ଅକ୍ଳେଶରେ ତିନି ଚାରି ମାଇଲ ବାଟ ଦଉଡ଼ି ଯାଇପାରେ । ହାତୀ ପରା ଜନ୍ତୁକୁ ମଧ୍ୟ ସେ ଅନେକ ସମୟରେ କାବୁ କରିପକାଏ ।

 

ବାଘ ଦିନଯାକ ଗହନ ବନଭିତରେ ଶୋଇ ରହେ, ରାତି ହେଲେ ବୁଲି ଶିକାର ଖୋଜେ-। ବଣରୁ ହରିଣ, ବାର୍‌ହା ପ୍ରଭୃତି ଜନ୍ତୁ ମାରି ଖାଏ । ବଣଜନ୍ତୁ ଅପେକ୍ଷା ଗାଈଗୋରୁ, ମଇଁଷି, ଛେଳି ପ୍ରଭୃତି ପୋଷାଜନ୍ତୁ ଖାଇବାକୁ ସେ ବେଶି ଭଲ ପାଏ । ଥରେ କୌଣସି ଗ୍ରାମରେ ଗୋଟିଏ ପୋଷାଜନ୍ତୁ ଖାଇଲେ, ବରାବର ସେ ଗାଆଁକୁ ଆସୁଥାଏ ଆଉ ବଣଜନ୍ତୁଙ୍କୁ ଚାହେଁ ନାହିଁ ।

 

ବାଘ ସାଧାରଣତଃ ମଣିଷକୁ ଭୟ କରେ; କିନ୍ତୁ ଥରେ ମଣିଷ ରକ୍ତର ସୁଆଦ ତା ପାଟିରେ ଲାଗିଗଲେ, ସେ ତେଣିକି ବରାବର ମଣିଷ ଖୋଜି ଖାଏ । ସାଧାରଣରେ ଦେଖାଯାଏ, ବୁଢ଼ା ହୋଇଗଲେ ବାଘ ମଣିଷ ମାରିବାକୁ ଇଚ୍ଛା କରେ । ସେତେବେଳକୁ ତାର ବଳ କମିଯାଇଥାଏ, ଦଉଡ଼ିପାରେ ନାହିଁ; ତେଣୁ ଅନ୍ୟ ଜୀବଜନ୍ତୁ ଶିକାର କରିପାରେ ନାହିଁ । ଅନ୍ୟ ଜନ୍ତୁ ଅପେକ୍ଷା ମଣିଷକୁ ମାରିବା ସହଜ । ସେହି ହେତୁରୁ ସେ ମଣିଷ ମାରି ଖାଇବାକୁ ମନ ବଳାଏ । ସୁନ୍ଦରବନ ବାଘ ଶିକାର ନ ପାଇଲେ ନଈରୁ ମାଛ ମାରି ଖାଆନ୍ତି ।

 

ବାଘ ଜିଭରେ ସରୁସରୁ କଣ୍ଟା ଥାଏ, ତେଣୁ ସେ ଚାଟିଦେଲେ ହାଡ଼ରୁ ମାଂସ ସବୁ ପୋଛି ହୋଇ ଚାଲିଯାଏ ।

 

ବାଘ ରାତିକ ମଧ୍ୟରେ ଦଶ ବାର ମାଇଲ ବାଟ ଯାଇ ଶିକାର ଖୋଜି ପୁଣି ନିଜ ଘରକୁ ଫେରିପାରେ । ନଈନାଳ ପଡ଼ିଲେ ବିନା ବାଧାରେ ପହଁରି ପାର ହୋଇଯାଏ । ଛୋଟଛୋଟ ବୁଦା ଗଛ ଉପରକୁ ବି ଚଢ଼ି ଯାଇପାରେ ।

 

ବାଘୁଣୀ ବାଘ ଅପେକ୍ଷା ଛୋଟ ହୁଏ । ତା ବଳ ମଧ୍ୟ ବାଘ ବଳ ଅପେକ୍ଷା କମ୍‌ । ବାଘୁଣୀ ଥରକେ ଦୁଇଟିରୁ ଚାରି ପାଞ୍ଚଟି ଯାଏ ଛୁଆ ଜନ୍ମକରେ । ଏହି ଛୁଆଗୁଡ଼ିକ ପ୍ରଥମରେ ଅତି ସାନ ହୋଇଥାନ୍ତି । ବାଘୁଣୀ ତାଙ୍କୁ ସବୁବେଳେ କଡ଼ା ପହରା ଦେଇ ଜଗି ରହେ । ସେହି ସମୟରେ ସେ ଜମା ପଦାକୁ ବାହାରେ ନାହିଁ । ବାଘ ବଣରୁ ଶିକାର ଖୋଜି ଆଣି ତାକୁ ଖାଇବାକୁ ଦିଏ ।

 

ପିଲା ବଡ଼ ହୋଇଗଲେ ମାଆଠାରୁ ଆଉ ଦୁଧ ଖାଆନ୍ତି ନାହିଁ । ସେତେବେଳେ ବାଛୁରୀ, ଛୁଆ ହରିଣ, ଠେକୁଆ, ବିଲୁଆ ଆଦି ମାରି ସେମାନେ ଖାଆନ୍ତି । ଛୁଆଗୁଡ଼ିକ ଶିକାର କରିବାରେ ଧୁରନ୍ଧର ହୋଇଗଲେ ବାପାମାଆଠାରୁ ଅଲଗା ହୋଇ ଯାଆନ୍ତି । ନିଜ ବଳରେ ରୋଜଗାର କରି ପେଟ ପୋଷନ୍ତି ।

 

ଚିତାବାଘଙ୍କ ଦେହରେ ଲମ୍ବା ଲମ୍ବା ଗାର ନ ଥାଏ, କଳା ବିନ୍ଦୁସବୁ ରହିଥାଏ । ଏଗୁଡ଼ିକ ଚିତା ପରି ଦିଶେ; ତେଣୁ ତା ନାମ ଚିତାବାଘ ।

 

ବାଘ ଚମଡ଼ା ଭାରି ସୁନ୍ଦର ଦିଶେ । ସେହି ଚମଡ଼ା ପାଇବା ଆଶାରେ ଅନେକେ ବାଘ ଶିକାର କରନ୍ତି ।

 

ବାଘଙ୍କୁ ପୋଷି ସର୍କସବାଲା ଖେଳ ଦେଖାନ୍ତି । ଯେତେ ପୋଷା ମାନିଲେ ବି ବାଘ ନିଜ ଗୁଣ ଛାଡ଼େ ନାହିଁ । ସୁବିଧା ପାଇଲେ ପୋଷିଥିବା ଲୋକକୁ କାମୁଡ଼ି ପକାଏ, ମାରି ଖାଏ ।

 

-୩-

 

ଗୋଟିଏ ବାଘ ଥରେ ମଣିଷ ରକ୍ତର ସୁଆଦ ପାଇଗଲା, ତେଣୁ ଗହନ ବନ ତାକୁ ଆଉ ଭଲ ଲାଗିଲା ନାହିଁ । ଗାଁ ପାଖ ପାହାଡ଼ ଗୁମ୍ଫାରେ ଆସି ସେ ରହିଲା । ରାତିରେ ଛକି ଛକି ମଣିଷ ଖୋଜିଲା । ବାଟରେ ଘାଟରେ ଯାହାକୁ ପାଇଲା, ତା ତୋଟି କାମୁଡ଼ି ଧରି ଗୁମ୍ଫାକୁ ଘେନି ପଳାଇଗଲା; ମନମଉଜରେ ଭୋଜି କଲା ।

 

ଏହିପରି ଗାଁରେ କେତେଗୁଡ଼ିଏ ଲୋକ ବାଘ ପେଟରେ ଗଲେ । ଗାଁଭିତରେ କାନ୍ଦବୋବାଳି ପଡ଼ିଗଲା । ଆଜି କାହା ପୁଅ ହଜିଲାଣି ତ, କାଲି କାହାର ବୁଢ଼ୀମାଆକୁ ବାଘ ନେଇଗଲାଣି । ଆଠ ଦଶ ଦିନ ମଧ୍ୟରେ ପାଞ୍ଚ ଜଣ ସେ ଗାଁରୁ ମଲେ । ଗାଁଲୋକେ ପ୍ରମାଦ ଗଣିଲେ ।

 

ସନ୍ଧ୍ୟା ହେଲା ପରେ କେହି ଆଉ ପଦାକୁ ବାହାରିଲେ ନାହିଁ । ବାଘ ବାଟରେ ଘାଟରେ କାହାକୁ ନ ପାଇ ଘର ଭିତରେ ପଶି ଭଣଜା ଭାଣିଜୀମାନଙ୍କୁ ସଙ୍ଖୁଳିଲା । ଯାହା ଘରେ ସୁବିଧାରେ ପଶିପାରିଲା, ତା ଘରୁ କାହାକୁ ନା କାହାକୁ ମୁହଁରେ ଧରି ଛୁ ।

 

ଲୋକେ ବାଘକୁ ମାରିବା ପାଇଁ ବହୁତ ଫନ୍ଦି ଫିକର କଲେ; ମାତ୍ର ବାଘ ଏତେ ଚତୁର ଯେ ତାର ପତ୍ତା ପାଇଲେ ନାହିଁ । ଶେଷକୁ ସହରରୁ ଶିକାରୀ ଆସିଲେ; ତାଙ୍କ ହାତରେ ବଡ଼ ବନ୍ଧୁକ, ସାଙ୍ଗରେ ଜଣେ ଚାକର ।

 

ପାହାଡ଼ପାଖ ଗୋଟିଏ ଗଛଉପରେ ମଞ୍ଚା ବନ୍ଧା ହେଲା । ମଞ୍ଚାରେ ଶିକାରୀ ବନ୍ଧୁକ ଧରି ଜଗିବସିଲେ । ଆଉ ଗୋଟିଏ ଗଛଉପରେ ତାଙ୍କର ଚାକରଟି ବସିଲା । ତଳେ ଗୋଟିଏ ମଇଁଷିକି ମୋଟା ଦଉଡ଼ାରେ ବାନ୍ଧିଦିଆଗଲା ।

 

ରାତି ହେଲା । ଗାଢ଼ ଅନ୍ଧାର ରାତି । ମୁହଁକୁ ମୁହଁ ଦିଶୁ ନ ଥାଏ । ବାଘମାମୁଁ ଘରୁ ବାହାରିଲା । କାଲି ରାତିରେ ଗୋଟିଏ ମଣିଷ ସେ ଖାଇଛି । ଆଜି ମଣିଷ ମାରିବାକୁ ଆଉ ତାର ଇଚ୍ଛା ନାହିଁ । କେବଳ ଚାରିଆଡ଼ ଟିକିଏ ଗସ୍ତ କରି ଆସିବାକୁ ମନ କଲା; କିନ୍ତୁ ଅଳ୍ପ ବାଟ ଆସିଲାକ୍ଷଣି ଦେଖିଲା, ଗୋଟାଏ ମସ୍ତବଡ଼ ମଇଁଷି । ଠାକୁରେ ଗୋଡ଼ତଳେ ଆଣି ଆହାର ଯୋଗାଇ ଦେଇଛନ୍ତି, ଏ ସୁଯୋଗ କଅଣ କିଏ ଛାଡ଼େ ?

 

ବାଘ ମୁହୂର୍ତ୍ତେ ମଇଁଷିଟାକୁ ଚାହିଁ ରହିଲା । ତା ପରେ ଛକିଛକି ଏପରି ଏକ କୁଦା ମାରିଲା ଯେ ତା ବେକଉପରେ ଆସି ପଡ଼ିଗଲା । ମଇଁଷିଟା ପ୍ରାଣବିକଳରେ ଗଁ ଗଁ ହୋଇ ଗର୍ଜି ଉଠିଲା ।

 

ଅନ୍ଧାରରେ କିଛି ଦିଶୁ ନ ଥାଏ । ଭୁଲରେ ଶିକାରୀ ସାଙ୍ଗରେ ଆଲୁଅ ଆଣିପାରି ନ ଥିଲେ । ଏହି ଶବ୍ଦରୁ ସେ ଜାଣିଲେ ଯେ, ବାଘ ଆସିଗଲା । ଶବ୍ଦକୁ ଲକ୍ଷ୍ୟ କରି ସେ ଗୁଳି ଚଳାଇଲେ । ବନ୍ଧୁକ ଶବ୍ଦ ସାଙ୍ଗରେ ମଇଁଷିର ଗଁ ଗଁ ଶବ୍ଦ, ତା ସହିତ ବାଘର ଗର୍ଜନ–ସେ ବଣଟାଯାକ ଯେପରି କମ୍ପିଉଠିଲା । ତା ସାଙ୍ଗକୁ ଶିକାରୀଙ୍କ ‘ବାପା ଲୋ, ମଲି ଲୋ’ ବିକଳ ଶବ୍ଦ ମଧ୍ୟ ଛାତି ଥରାଇଦେଲା ।

 

ଅନ୍ୟ ଗଛରେ ଚାକରଟି ବସିଥିଲା । ରାତିଯାକ ଚାହିଁ ଚାହିଁ ତାକୁ ଟିକିଏ ନିଦ ଲାଗି ଆସୁଥାଏ । ଏ ଗର୍ଜନରେ ସେ ଚମକିଉଠିଲା । ତା ନିଦ କୁଆଡ଼େ ଚାଲିଗଲା । ସେ ତଳକୁ ଚାହିଁଲା; ମାତ୍ର କିଛି ଦିଶିଲା ନାହିଁ । କେବଳ ଅଦ୍ଭୁତ ଶବ୍ଦ ସେ ଶୁଣିପାରିଲା । ଶିକାରୀ ବିକଳ ହେଉଛି, ଶିକାର ବି ଗର୍ଜନ କରୁଛି । ଜଣେ ଉପରେ, ଜଣେ ତଳେ । ସେ କିଛି ବୁଝିପାରିଲା ନାହିଁ । ଖାଉନ୍ଦଙ୍କର କଅଣ ହେଲା, ତାହା ଜାଣିବାକୁ ମନ ଉଚ୍ଛନ୍ନ ହେଲା; କିନ୍ତୁ ତଳକୁ ଓହ୍ଲାଇବାକୁ ସାହସ ହେଲା ନାହିଁ ।

 

କିଛି ସମୟ ପରେ ଆକାଶରେ ଜହ୍ନ ଉଇଁଲା, ବଣଟା ଟିକିଏ ଫର୍ଚ୍ଚା ଦେଖାଗଲା । ଚାକର ଗଛ ଉପରୁ ଦେଖି ପାରିଲା, ତଳେ ମଇଁଷି ମରି ପଡ଼ିଛି । ବାଘଟା ମନକୁ ମନ ବଣ ଭିତରକୁ ପଶି ଯାଉଛି; ପୁଣି ସେଠାକୁ ଦୌଡ଼ି ଆସି ତଳେ ଗଡ଼ୁଛି ।

 

ଚାକରଟି ଶିକାରୀଙ୍କୁ କେତେ ଡାକିଲା, ମାତ୍ର କେହି ଜବାବ ଦେଲେ ନାହିଁ । ସେ ଜାଣିଗଲା ଯେ ବାଘଟି ଶିକାରୀଙ୍କ ଗୁଳି ଖାଇବା ସଙ୍ଗେ ସଙ୍ଗେ ଶିକାରୀଙ୍କୁ ବି ଖାଇଛି । ତେବେ ଏତେ ଉଚ୍ଚରୁ ଖାଉଁନ୍ଦଙ୍କୁ ସେ ଧଇଲା କିପରି ?

 

ସେ କିଛି ଉପାୟ ଠିକ୍‌ କରି ନ ପାରି ଗଛ ଉପରେ ବସି ରହିଲା । କ୍ରମେ ରାତି ପାହିଲା-। ଗାଁରୁ ଦଳେ ଲୋକ ଠେଙ୍ଗା ବାଡ଼ି ଧରି ଆସି ସେଠାରେ ପହଞ୍ଚିଲେ ।

 

ସେତେବେଳକୁ ବାଘ ବାଡ଼େଇପିଟି ହୋଇ ନୟାନ୍ତ ହୋଇ ଗଲାଣି । ଆଉ ଉଠିବାର ଶକ୍ତି ନାହିଁ । ଲୋକଙ୍କୁ ଦେଖି ସେ ଚାକରଟି ଗଛରୁ ଓହ୍ଲାଇଲା । କିଛି ଦୂରରେ ଠିଆ ହୋଇ ସମସ୍ତେ ଦେଖିଲେ, ବାଘ ଦେହଯାକ ବାଘୁଆ ମହୁମାଛି ଲାଗିଛନ୍ତି । ସେଗୁଡ଼ାକ ଏତେ ଜୋରରେ କାମୁଡ଼ୁଛନ୍ତି ଯେ, ବାଘ ସେ କାମୁଡ଼ା ସହି ନ ପାରି ଛଟପଟ ହୋଇ ତଳେ ଗଡ଼ୁଛି । ଯେତେବେଳେ ବିକଳରେ ଦେହ ଚାଟି ପକାଉଛି, ସେତେବେଳେ ତା ଜିଭରେ ମଧ୍ୟ ଗୁଡ଼ାଏ ମାଛି ଲାଗି ଜିଭକୁ କାମୁଡ଼ି ଧରୁଛନ୍ତି । ଆଖି ଦୁଇଟା ତ ଫୁଟିଯିବା ଉପରେ । ବାଘୁଆ ମହୁମାଛିଙ୍କ କବଳରେ ପଡ଼ି ବାଘମାମୁଁଙ୍କ ଅବସ୍ଥା କାହେଲ ।

 

ଲୋକେ ତ ଆଗରୁ ଚିଡ଼ି ରହିଥିଲେ । ବାଘ ଯାହା ଟିକିଏ ସୁକ୍‌ସୁକ୍‌ ହେଉଥିଲା, ଠେଙ୍ଗା ବାଡ଼ିରେ ପିଟିପିଟି ତାହା ବି ଶେଷ କରିଦେଲେ ।

 

ବାଘମଲା ପରେ ଚାକରର ମନେ ପଡ଼ିଲା, ତା ଖାଉନ୍ଦ ଗଲେ କୁଆଡ଼େ ?

 

ଗାଁ ଲୋକଙ୍କ କଥାରୁ ସେ ଜାଣିଲା ଯେ, ଶିକାରୀ ରାତିରେ ଯାଇ ଗାଁରେ ଆଶ୍ରୟ ନେଇ ଅଛନ୍ତି । ସେ ଅନ୍ଧାରରେ ଯେଉଁ ବନ୍ଧୁକ ମାରିଥିଲେ, ତା କେବଳ ବାଘର ଗୋଟିଏ ଗୋଡ଼ରେ ବାଜିଥିଲା; ବେଶି କିଛି କ୍ଷତି କରି ନ ଥିଲା । ଦ୍ଵିତୀୟ ଥରର ଗୁଳି ଦେହରେ ବି ବାଜିଲା ନାହିଁ; ତଳେ ଥିବା ଗୋଟାଏ ମହୁ ଫେଣାରେ ବାଜିଲା । ସେଥିରୁ ଅସଂଖ୍ୟ ମହୁମାଛି ବାହାରି ତଳେ ବାଘ ଦେହରେ ଲେସି ହୋଇଗଲେ । କେତେ ଗୁଡ଼ାଏ ଉପରକୁ ଯାଇ ଶିକାରୀ ମୁହଁ ଓ ଦେହକୁ କାମୁଡ଼ି ପକାଇଲେ । ଶିକାରୀ ବାଘ ମାରିବାକୁ ସିନା ବନ୍ଧୁକ ରଖିଥିଲେ, ବାଘୁଆ ମାଛି ମାରିବାକୁ ତ ତାଙ୍କ ପାଖରେ କିଛି ଅସ୍ତ୍ର ନାହିଁ । ତେଣୁ ସେ ବିକଳରେ ପାଟି କରି ଉଠିଲେ ମୁହଁରେ ଯେତେ ହାତ ବୁଲାଇଲେ ମାଛି ସେତେ ରାଗରେ ବେଢ଼ିଗଲେ । ଶିକାରୀ ବାଧ୍ୟ ହୋଇ ତଳକୁ ଓହ୍ଲାଇ ଆସିଲେ । ବାଘୁଆ ମାଛିଙ୍କ ଦାଉରେ ଛଟପଟ ହୋଇ ମରିବା ଅପେକ୍ଷା ବାଘ ମୁହଁରେ ସାଙ୍ଗେସାଙ୍ଗେ ମରିବା ଭଲ–ଏହାହିଁ ସେ ଠିକ୍‍ କରିନେଲେ । ମାତ୍ର ଓହ୍ଲାଇ ଆସି ଦେଖନ୍ତି ତ, ବାଘ ମଧ୍ୟ ମହୁମାଛିଙ୍କ କାମୁଡ଼ାରେ ଛଟପଟ ହେଉଛି । ସେ ବିକଳରେ ବଣକୁ ପଶି ଗଲାବେଳେ ଶିକାରୀ ଗାଁ ଭିତରକୁ ପଳାଇ ଆସିଲେ । ଗାଁ ଲୋକେ ସେବା ଶୁଶ୍ରୂଷା କଲାରୁ ଶିକାରୀ ବର୍ତ୍ତମାନ ଟିକିଏ ଭଲ ଅଛନ୍ତି ।

 

ବାଘ ତ ମଲା; ତେଣୁ ଗାଁ ଲୋକଙ୍କୁ ବ୍ୟସ୍ତ କରିବାକୁ ଆଉ କେହି ରହିଲେ ନାହିଁ । ଶିକାରୀ ମଧ୍ୟ ସେହି ଦିନୁ ଶିକାର କରିବା ଛାଡ଼ିଦେଲେ । ବାଘ ଶିକାର କରିବାକୁ ଯାଇ ବାଘୁଆ ମହୁମାଛିଙ୍କ ଠାରୁ ଯେ ଏପରି ପରାଭବ ମିଳିବ, ଏହା ସେ କେବେହେଲେ ଭାବି ନ ଥିଲେ ।

 

-୪-

 

ଆଉ ଗୋଟିଏ ବାଘ ଖୁବ୍‌ ଉପଦ୍ରବ କରୁଥିଲା । ସନ୍ଧ୍ୟା ହେଲାକ୍ଷଣି ସେ ଆଉ ବଣରେ ରହେନାହିଁ, ନିର୍ଭୟରେ ଆସି ଗାଁ ମୁଣ୍ଡରେ ବୁଲଚାଲ କରେ, ଶିକାର ସନ୍ଧାନରେ ରହେ ।

 

ଗାଁରୁ ପ୍ରଥମେ ମେଣ୍ଢା, ଛେଳି, ଗାଈଗୋରୁ କେତେ ମାଇଲା । କ୍ରମେ ତାହାର ସାହସ ବଢ଼ିଗଲା । ମଣିଷ ମାଂସ ଖାଇବା ପାଇଁ ତା ପାଟି ଶଲଶଲ ହେଲା; କିନ୍ତୁ ସେତେବେଳକୁ ସମସ୍ତେ ସାବଧାନ ହୋଇ ଯାଇଥିଲେ । ସନ୍ଧ୍ୟା ହେବା ଆଗରୁ ଲୋକେ କବାଟ କିଳି ଘରଭିତରେ ରହୁଥିଲେ । ଗାଈଗୋରୁଙ୍କୁ ବି ଆଉ ପଦାକୁ ଛାଡ଼ିଲେ ନାହିଁ ।

 

ଚାରି ଛଅ ଦିନ ଯାଏ ବାଘ କିଛି ଶିକାର ପାଇଲା ନାହିଁ । ଆଗେ ଶିକାର ପାଇବା ସାଙ୍ଗେସାଙ୍ଗେ ତାକୁ ଧରି ବଣ ଭିତରକୁ ଚାଲିଯାଉଥିଲା; ପୁଣି ଯାଇ ଆର ଦିନ ସନ୍ଧ୍ୟାକୁ ଆସୁଥିଲା-। କିନ୍ତୁ ଏବେ ଶିକାର ନ ମିଳିବାରୁ ରାତିଯାକ ଗାଁ ମୁଣ୍ଡରେ ବୁଲେ, ରାଗରେ ଗର୍ଜନ କରେ, ସତେ ଯେପରି ଗାଁଲୋକଙ୍କୁ ଧମକ ଦିଏ–“ଦେଖ, ମତେ ଉପାସ ରଖୁଛ, ତୁମର ଭଲ ଗତି ହେବ ନାହିଁ”-

 

ସମସ୍ତେ ଜାଣନ୍ତି ଯେ, ରାତି ପାହିବା ଆଗରୁ ବାଘ ବଣକୁ ଚାଲିଯାଏ । ତେଣୁ ସକାଳୁ ସମସ୍ତେ ଘରୁ ପଦାକୁ ବାହାରନ୍ତି, ନିଜନିଜ କାମରେ ଲାଗିଯାଆନ୍ତି ।

 

ସେ ଗାଁର ଗୋଟିଏ କେଉଟ ନିତି ମାଛ ଧଇଲେ ପେଟ ପୋଷେ । ଆଗେ ଅନେକ ସମୟରେ ରାତିରେ ମାଛ ଧରିବାକୁ ଯାଉଥିଲା; ମାତ୍ର ବାଘ ମାତିଲା ଦିନୁ ରାତିରେ ଯିବା ବନ୍ଦ ।

 

କେଉଟ ସେଦିନ ଭୋରରୁ ଜାଲଟି କାନ୍ଧରେ ପକାଇ ବାହାରିଲା । ମୁହଁଅନ୍ଧାର, ଦୂର ବାଟ ଭଲ ରୂପେ ଦିଶୁ ନାହିଁ । କେଉଟ ନଈକୂଳେ ପହଞ୍ଚି ଭଉଁରୀ ଜାଲଟି ଫିଟାଇଲା । ଆଣ୍ଠୁଏ ପାଣିକୁ ପଶିଯାଇ ଜାଲ ପକାଇବାକୁ ହାତ ଉଠାଇଛି, ପଛଆଡ଼ୁ ଗର୍ଜନ ଶୁଭିଲା । ଚମକିପଡ଼ି ଚାହିଁ ଦିଏ ତ, ପଛଆଡ଼େ ବାଘମାମୁଁ, ଠିକ୍‍ ତା ଉପରକୁ କୁଦିପଡ଼ିବାକୁ ତିଆର ହୋଇ ରହିଛି ।

 

କେଉଟକୁ ଆଉ ବୁଦ୍ଧିବାଟ ଦିଶିଲା ନାହିଁ । ନଈରେ ଜାଲ ପକାଇବ କଣ ? ବୁଲିପଡ଼ି ଖୁବ୍‍ ଜୋରରେ ବାଘ ଉପରକୁ ଜାଲ ଫିଙ୍ଗିଦେଲା । ତରତରରେ ହାତରୁ ଦଉଡ଼ି ଫିଟାଇ ପକାଇ ଦେଇ ନଈଭିତରେ ପଶିଗଲା । ଅଳ୍ପ ଚଉଡ଼ା ନଈ, ପ୍ରାଣବିକଳରେ ପାଣିରେ ପହଁରି ଯାଇ ଆରପାଖରେ ପହଞ୍ଚିଲା । ସାଙ୍ଗେସାଙ୍ଗେ ସେଠାରେ ଥିବା ଗୋଟାଏ ତାଳଗଛ ଉପରେ ଚଢ଼ି ଅଗରେ ବସି ରହିଲା । ଖୁବ୍‍ ଜୋରରେ ପାଟି କରି ଡାକ ପକାଇଲା “ବାଘ ଖାଇଗଲା ହୋ, ଧାଇଁପଡ଼” ।

 

ସେତେବେଳକୁ ଟିକିଏ ଫର୍ଚ୍ଚା ହୋଇଗଲାଣି; ଲୋକେ ଉଠି ପଦାକୁ ଆସିଲେଣି । କେଉଟ ପାଟି ଶୁଣି ଠେଙ୍ଗାବାଡ଼ି, କୁରାଢ଼ି, କଟୁରୀ ପ୍ରଭୃତି ଧରି ଧାଇଁଲେ ।

 

ଏଣେ ବାଘ ମହାରାଗ, ଖୁବ୍‌ ବ୍ୟସ୍ତ । ରାତିଯାକ ତ ଉପାସରେ କଟିଛି; ସକାଳୁ ଗୋଟାଏ ଶିକାର ଜୁଟିଥିଲା ଯେ, ସେ ଠିକ୍‍ ପାଟି ପାଖରୁ ଖସିଯାଇଛି । କେବଳ ସେତିକି ନୁହେଁ, ଜାଲଭିତରେ ଛନ୍ଦିହୋଇ ସେ ନିଜେ ଉଠିପାରୁ ନାହିଁ କି ଦଉଡ଼ିପାରୁ ନାହିଁ । ସେ ତଳେ ବହୁତ ଗଡ଼େଇ ତଡ଼େଇ ହେଲା । ନଖରେ, ଦାନ୍ତରେ ଜାଲକୁ ଛିଡ଼ାଇ ଟିକିଟିକି କରି ପକାଇଲା । କୌଣସି ପ୍ରକାରେ ତା ମୁହଁ ଓ ଚାରି ଗୋଡ଼ ଖଲାସ ହୋଇଗଲା । କିନ୍ତୁ ପିଠି ପେଟରେ ଜାଲ ଗୁଡ଼ାଇହୋଇ ରହିଥାଏ–ସତେ ଯେପରି ସେ ହାତକଟା ଗେଞ୍ଜିଟାଏ ପିନ୍ଧିଛି ।

 

ଏହି ସମୟରେ ଲୋକେ ଜମିଗଲେ । ବାଘ ଦେଖିଲା ଯେ ଆଉ ସୁବିଧା ହେବ ନାହିଁ । ସେ ଶିକାର ଆଶା ଛାଡ଼ି ବଣ ଭିତରକୁ ପଳାଇଗଲା ।

 

ସେହିଦିନୁ ତାର ଉତ୍ପାତ ବେଶି ବଢ଼ିଲା । ଲୋକେ ଆଉ ଗ୍ରାମରେ ଥୟ ହୋଇ ରହିପାରିଲେ ନାହିଁ । ସହରକୁ ଖବର ଦେଲେ । ଶିକାରୀ ବନ୍ଧୁକ ଧରି ବାଘ ମାରିବାକୁ ସେଟାକୁ ଆସିଲେ ।

 

ମାତ୍ର ବାଘ ବଡ଼ ଚତୁର । ଶିକାରୀ ଦୁଇ ରାତି ବଣ ଭିତରେ ଅନିଦ୍ରାରେ କଟାଇଲା । ତଥାପି ବାଘକୁ ମାରିପାରିଲେ ନାହିଁ । ସେ ଯେଉଁ ଜନ୍ତୁ ବାନ୍ଧିଥାଆନ୍ତି, ବାଘ ତାକୁ କଉଶଳରେ ଆସି ଖାଇଦିଏ । ଶିକାରୀଙ୍କର ଗଣ୍ଡାଗଣ୍ଡା ଗୁଳି ନଷ୍ଟ ହୁଏ; ଅଥଚ ବାଘ ଦେହରେ ଗୋଟିଏ ସୁଦ୍ଧା ବାଜେ ନାହିଁ । ବାଘ ମନ ଆନନ୍ଦରେ ବନ୍ଧା ହୋଇଥିବା ପଶୁଟିକୁ ଖାଇ ହାକୁଟି ମାରେ । ଗଲାବେଳକୁ ଅଦ୍ଭୁତ ରକମର ଗୋଟାଏ ଗର୍ଜନ କରେ । ସତେ ଯେପରି ଥଟ୍ଟା କରି ଶିକାରୀଙ୍କୁ କହେ, ‘‘ବାସିଥା ଭଣଜା, ମୋ କାମ ସରିଗଲାଣି, ମୁଁ ଯାଉଛି ।’’

 

ବାଘର ସାହସ ବଢ଼ିଗଲା । ସେ ଦିନବେଳା ମଧ୍ୟ ଗାଁ ଭିତରକୁ ଆସି ଶିକାର ଛକିଲା ।

 

ଦିନେ ଚାରିଟାବେଳେ ଲୋକେ ବାଘକୁ ଦେଖିଲେ । ଶିକାରୀଙ୍କୁ ଆସି ଖବର ଦେଲେ । ଶିକାରୀ ସାଙ୍ଗେସାଙ୍ଗେ ବନ୍ଧୁକ କାନ୍ଧରେ ପକାଇ ବାହାରି ପଡ଼ିଲେ । ଗାଁଲୋକେ ମନା କରୁଥାନ୍ତି; କିନ୍ତୁ ଶିକାରୀ କାହିଁକି ବା ତା ଶୁଣିବେ ? ସେ କେତେ ବାଘ ମାରିଛନ୍ତି, ଏହି ଛାର ବାଘଟା ଲାଗି ଏତେ ଦହଗଞ୍ଜ !

 

ଲୋକେ ମନା ସିନା କରୁଥିଲେ, ଶିକାରୀ ଆଗେଆଗେ ଯିବାରୁ ଠେଙ୍ଗାବାଡ଼ି ଧରି ପଛରେ ଚାଲିଲେ ।

 

ଗାଁ ମୁଣ୍ଡରେ ଅଳ୍ପ ବଣ, ଆଣ୍ଠୁଏ ଉଚ୍ଚ ଘାସ, କଣ୍ଟାବୁଦା । ଶିକାରୀ ଏପାଖ ସେପାଖ ବାଘ ଖୋଜି ବୁଲୁଛନ୍ତି । ତାଙ୍କ ମନରେ ବଡ଼ ରାଗ । ଯେ କୌଣସି ପ୍ରକାରେ ହେଉ ଆଜି ବାଘଟାକୁ ମାରିବାକୁ ହେବ । ନ ହେଲେ ଗାଁ ଲୋକଙ୍କ ପାଖରେ ମାନମର୍ଯ୍ୟାଦା ରହିବ ନାହିଁ ।

 

ଏହି ସମୟରେ ପଛରୁ କିଏ ଡାକ ପକାଇଲା, ‘ବାଘ’ । ଶିକାରୀ ଫେରିପଡ଼ି ଚାହିଁଦେଲେ । ପଛରେ ତାଙ୍କଠାରୁ ମୋଟେ ପାଞ୍ଚ ଛ ହାତ ଦୂରରେ ବାଘ ଠିଆ ହୋଇ ତାଙ୍କୁ ଛକିଛି-। ସେ ସାଙ୍ଗେସାଙ୍ଗେ ବନ୍ଧୁକ ସଜାଡ଼ି ଧଇଲେ; ମାତ୍ର ଘୋଡ଼ାଟି ଟିପା ହୋଇପାରିଲା ନାହିଁ । ଆଗରୁ ବାଘ ତାଙ୍କ ଉପରକୁ କୁଦିପଡ଼ିଲା । ସେ ଚିତ୍‌ ହୋଇ ତଳେ ପଡ଼ିଗଲେ । ବନ୍ଧୁକ ହାତରୁ ଛିଡ଼ିକି ଦଶ ହାତ ଦୂରରେ ପଡ଼ିଲା ।

 

ବିଲେଇ ତା ଛୁଆକୁ ବେକରୁ କାମୁଡ଼ି ନେଇଗଲା ପରି ବାଘ ଶିକାରୀଙ୍କ ବେକକୁ କାମୁଡ଼ି ଧରି ବଣଭିତରକୁ ପଶିଗଲା । ଲୋକଙ୍କ ହାହାକାର ଚିତ୍କାରରେ ସେ ଜାଗା କମ୍ପିଗଲା । ବାଘର ସେଥିପ୍ରତି ମୋଟେ ଖାତିର ନ ଥାଏ ।

 

ଆଗରୁ ବାଘକୁ ଦେଖି ନାରଣ ଗୋଟାଏ ଗଛ ଉପରେ ଚଢ଼ିଯାଇଥିଲା । ନାରଣ ସେ ଗାଁର ସର୍ଦ୍ଦାର । ସେ ଚାହିଁ ଦେଖିଲା, ବାଘ ଶିକାରୀଙ୍କୁ ନେଇ ଗୋଟାଏ ଛୋଟ ଢିପ ଉପରକୁ ଉଠିଲା । ତା ମୁଣ୍ଡରେ ହଠାତ୍‍ ବୁଦ୍ଧି ଖେଳିଗଲା । ସେ ଗଛରୁ ଓହ୍ଲାଇ ଆସି ଗାଁକୁ ଦଉଡ଼ିଲା । ଆଉ ଥରେ ଗାଁ ଲୋକଙ୍କୁ ଡାକି ଏକଜୁଟ କଲା । ତା କଥା ଅନୁସାରେ ଦୁଇ ଟିଣ କିରାସିନି ଓ ଠେଙ୍ଗାବାଡ଼ି ଧରି ଲୋକେ ପୁଣି ବଣ ଭିତରକୁ ଆସିଲେ ।

 

ଢିପଟା ଖୁବ୍‍ ଉଚ୍ଚ ଜାଗା, ତା ଉପରେ ପୁରୁଷେ ଉଚ୍ଚର ଘାସ ବଣ ଓ କଣ୍ଟାବୁଦା । ଖରା ଦିନ । ଜାଳ କରିବା ପାଇଁ ପାଖ ଆଖରେ ଘାସ ଓ ବୁଦାସବୁ କାଟି ଲୋକେ ପକାଇ ଦେଇ ଯାଇଥିଲେ । ସେ ସବୁ ଶୁଖି ରହିଥିଲା । ନାରଣ କଥା ଅନୁସାରେ ଲୋକେ ସେ ଜାଳଉପରେ କିରାସିନି ତେଲ ଢାଳିଦେଲେ; ଚାରିପାଖରେ ନିଆଁ ଲଗାଇଦେଲେ ।

 

ନିଆଁ ହୁ ହୁ ଜଳିଉଠିଲା । କ୍ରମେ ଢିପଆଡ଼କୁ ତାହା ମାଡ଼ିଗଲା । ବାଘ ନିଶ୍ଚିନ୍ତରେ ବସି ଶିକାରୀଙ୍କ ମାଂସ ଖାଉଥିଲା । ନିଆଁ ଧାସ ପ୍ରବଳ ହେବାରୁ ଉଠି ଚାରିଆଡ଼କୁ ଚାହିଁଲା । ଆଉ ଖାଇବ କଅଣ ? କିପରି ସେଠାରୁ ପଳାଇଯିବ, ସେଥିପାଇଁ ଦଉଡ଼ ଧାପଡ଼ କଲା । ଯେଉଁ ପାଖକୁ ଗଲା, ସେ ପାଖରେ ନିଆଁ । ପଦାରେ ଲୋକମାନେ ପାଟି କରି, ବାଜା ଟିଣ ଆଦି ବାଡ଼େଇ ସେ ସ୍ଥାନଟା କମ୍ପାଇ ଦେଉଥାଆନ୍ତି ।

 

ବାଘ ବହୁତ ଏପାଖ ସେପାଖ ଦଉଡ଼ାଦଉଡ଼ି କଲା । ରାଗରେ ଗର୍ଜନ ଛାଡ଼ିଲା । ମାତ୍ର ଖସିଯିବାର ଉପାୟ ପାଇଲା ନାହିଁ । ନିଆଁ ଧାସ କ୍ରମେ ଯାଇ ତା ଦେହରେ ଲାଗିଲା । ଆଗରୁ ତ ଜାଲ ତା ଦେହଯାକ ଗୁଡ଼ାଇ ହୋଇ ରହିଥିଲା । ସେଥିରେ ନିଆଁ ଲାଗି ଯିବାରୁ ଚର୍‌ ଚର୍‌ ଜଳିଉଠିଲା । ସର୍ବାଙ୍ଗରୁ ରୁମତକ ସାଆଁରେଇ ହୋଇଗଲା । ପିଲାଏ ମୁଣ୍ଡବାଳଯାକ ଖିଅର ହୋଇ ପଡ଼ିଲେ ଯେପରି ଦେଖାଯାଏ, ତା ଦେହଟା ସେହିପରି ଦେଖାଗଲା ।

 

ସେ ଆଉ ସମ୍ଭାଳି ହୋଇ ରହିପାରିଲା ନାହିଁ । ପଦାକୁ ପଳାଇଯିବ ବୋଲି ଖୁବ୍‍ ଜୋରରେ କୁଦା ମାଇଲା । ମାତ୍ର ଠିକ୍‍ ନିଆଁ ଉପରେ ଆସି ପଡ଼ିଲା । ସେତେବେଳକୁ ତା ଅବସ୍ଥା ନୟାନ୍ତ । ତଳେ ନିଆଁ, ଉପରେ ଲୋକଙ୍କ ଠେଙ୍ଗାମାଡ଼ । ସେ ବିଚରା ଆଉ କେତେ ସମ୍ଭାଳନ୍ତା ? ସେହିଠାରେ ହିଁ ଦାନ୍ତ ନିକୁଟି ପଡ଼ିଗଲା ।

 

ସେତିକିବେଳେ ଗୋଟିଏ ବାର ତେର ବର୍ଷର ପିଲା ଆସି ତା ଉପରକୁ ରାଗରେ ଚାରି ଛଅଟା ଢେଲା ପକାଇଲା । ବାଘ ତା ଛେଳି, ଛେଳିଛୁଆ ଓ ବୁଢ଼ୀମାଆଙ୍କୁ ଖାଇଥିଲା । ସେ ଗୋଟାଏ ଢେଲା ପକାଏ; ଏଣେ ମୁହଁରେ କହେ ‘ଖା ମୋ ଛେଳିକି’ । ଆଉ ଗୋଟାଏ ପକାଏ; କହେ ‘ଖା ମୋ ବୁଢ଼ୀମାଆକୁ’ । ଢେଲା ପକାଇ ପକାଇ ତା ହାତ ଯେତେବେଳେ ଘୋଳି ହେଲା, ସେତେବେଳେ ଯାଇ ସେ ଘରକୁ ଫେରିଲା ।

 

-୫-

 

ଜଣେ ଶିକାରୀ ଲେଖିଛନ୍ତି–ଆମେ ପାଞ୍ଚ ଜଣ ବଣକୁ ଶିକାର କରିବାକୁ ଯାଇଥାଉଁ । ଅବଶ୍ୟ ବଡ଼ ବଡ଼ ଜନ୍ତୁ ଶିକାର କରିବାକୁ ଆମର ବଳ ନ ଥାଏ । ଆମ ପାଖରେ ଯେଉଁ ବନ୍ଧୁକ ଥାଏ, ସେଥିରେ କେବେଳ ଚଢ଼େଇ ମାରିହେବ । ଖୁବ୍‍ ଜୋର ବଣର ଗୋଟାଏ ବିଲୁଆ ବା ଗଧିଆ ମାରିପାରନ୍ତି । ବାଘମାମୁଁ ଆଗରେ ତାହା କେବଳ ପିଲାଖେଳ ବନ୍ଧୁକ ।

 

ବଣଭିତରେ ସଫା ଜାଗା ଦେଖି ତମ୍ବୁ ପକାଇ ରହିଲୁ । ପାଖରେ ନଈଟିଏ ବହି ଯାଉଥାଏ । ଦୁଇ ଦିନ ପର୍ଯ୍ୟନ୍ତ ସେପରି କିଛି ଶିକାର ମିଳିଲେ ନାହିଁ । ତୃତୀୟ ଦିନ ମଧ୍ୟ ସମସ୍ତେ ବଣରେ ବହୁତ ବୁଲିଲୁ; କିନ୍ତୁ କିଛି ପାଇଲୁ ନାହିଁ । ଉପରବେଳା ଚାରି ଜଣ ସାଙ୍ଗ ପୁଣି ବଣ ଭିତରକୁ ଗଲେ । ମୁଁ ଏକୁଟିଆ ତମ୍ବୁଭିତରେ ବସିଥାଏ ।

 

ନଈ ମଝିରେ ଛୋଟ ଛୋଟ ପଠା ଥାଏ । ସେଥିରେ କେବଳ ବେଣା, କୁଶ, ଘାସର ବୁଦା ଅଣ୍ଟାଏ ଯାଏ ବଢ଼ିଥାଏ ।

 

ଗୋଟିଏ ପଠାରେ ପଲେ ଚଢ଼େଇ ବସିଥିବାର ମୁଁ ଦେଖି ପାରିଲି । ରାତିରେ ଭଲ ତରକାରୀ ହେବ–ଏହା ଭାବି ବନ୍ଧୁକଟି ଧରି ନାଈକୂଳକୁ ବାହାରିଗଲି ।

 

ପଠା ବେଶି ଦୂର ନୁହେଁ । କୂଳକୁ ଯାଇ ବନ୍ଧୁକ ଫୁଟାଇଲି ।

 

ତିନି ଚାରୋଟି ଚଢ଼େଇ ଅଳ୍ପ ଉଡ଼ି ତଳେ ପଡ଼ିଗଲେ । ମୁଁ ଖୁସିରେ ବନ୍ଧୁକଟି ଗଛକୁ ଡେରି ରଖିଦେଲି । ପିନ୍ଧିଥିବା ଲୁଗା ଟେକି ପାଣିଭିତରକୁ ପଶିଗଲି । ପଠାରେ ପଡ଼ିଥିବା ଚଢ଼େଇଙ୍କୁ ଆଣିବାକୁ ମନ ଉଚ୍ଛନ୍ନ ହେଉଥାଏ ।

 

ସେତେବେଳକୁ ମୁହଁଅନ୍ଧାର ହୋଇଆସିଲାଣି; ତଥାପି ଖଣ୍ଡେଦୂରରୁ ସବୁ ଦେଖାଯାଉଥାଏ । ମୁଁ ପଠାରୁ ଖୋଜିଖୋଜି ଚାରୋଟି ଚଢ଼େଇ ଆଣିଲି । ମନଖୁସିରେ ପୁଣି ପାଣିରେ ପଶି କୂଳକୁ ଆସିଲି ।

 

କୂଳ ଅଳ୍ପ ଦୂର ଅଛି, ପାଣି ଖୁବ୍‌ ଚହଲିଲା ପରି ଦେଖା ଗଲା । ପଛପଟେ ଚବ୍‌ଚବ୍‌ ଶବ୍ଦ ଶୁଭିଲା । ପଛକୁ ଚାହିଁ ଦିଏଁ ତ, ଗୋଟାଏ ମସ୍ତବଡ଼ ଘଡ଼ିଆଳ କୁମ୍ଭୀର । ମୋତେ ହିଁ ଲକ୍ଷ୍ୟ କରି ଖୁବ୍‌ ଜୋରରେ ଆସୁଛି ।

 

ଆଗରେ କୂଳ ଆଉ ପାଞ୍ଚ ଛ ହାତ ଦୂର ଅଛି, ପଛରେ ସେ ରହିଛି ପ୍ରାୟ ପନ୍ଦର ହାତ ଦୂରରେ । ମୁଁ ପ୍ରାଣବିକଳରେ ତରତର ହୋଇ ଆଗକୁ ଚାଲିଲି । ପାଣିଭିତରେ ପାଦ ଠିକ୍‌ ପଡ଼ୁ ନ ଥାଏ । ତଳେ କେଉଁଠି ଖାଲ ଥିବ, ସେ ଭୟ ମଧ୍ୟ ମନରେ ଥାଏ ।

 

ମୁଁ ଠିକ୍‌ ଶୁଖିଲାରେ ଡାହାଣ ପାଦ ପକାଇଲା ବେଳକୁ ପଛରେ ଆସି କୁମ୍ଭୀର ଲାଗିଗଲାଣି–ମୋର ବାଁ ପାଦକୁ ଠିକ୍‌ ଧରିବା ଉପରେ ।

 

ମାଟିରେ ପାଦ ପଡ଼ିବାରୁ ମୋର ସାହାସ ବଢ଼ିଗଲା, ତରବର ହୋଇ ପାଦ ପାଣିରୁ ଉଠାଇ ଉପରକୁ ଚାଲିଆସିଲି । ଦଶ ପନ୍ଦର ଖୋଜ ଦଉଡ଼ିଗଲି । କୁମ୍ଭୀର ବି ମୋ ପଛେପଛେ କିଛି ବାଟ ଉପରକୁ ଉଠିଆସିଲା । ଗଛ ମୂଳରୁ ବନ୍ଧୁକଟା ହାତରେ ଧରିବାକୁ ଯାଉଛି, ଦେଖିନେଲି, ଗୋଟାଏ ମହାବଳ ବାଘ । କେତେବେଳୁ ସେ ଯେପରି ମତେ ହିଁ ଲକ୍ଷ୍ୟ କରି ବସି ରହିଛି ଚୁପ୍‌ ହୋଇ । କିଛି ଦୂରରେ ଥିଲେ ସେ ସାଙ୍ଗେସାଙ୍ଗେ ମୋ ଉପରକୁ କୁଦି ପଡ଼ି ଥାଆନ୍ତା । କିନ୍ତୁ ମୁଁ ଓଲଟି ତା ଆଡ଼କୁ ଦଉଡ଼ି ଦଉଡ଼ି ଆସି ତା ମୁହଁପାଖରେ–ଦୁଇ ତିନି ହାତ ବି ଫରକ ନାହିଁ । ବୋଧହୁଏ ବାଘଟା ଏତେ ଦୂର ଆଶା କରି ନ ଥିଲା ।

 

ପାଖରେ ଗୋଟିଏ ଶାଳଗଛ ଥିଲା । ଏପରି ବିପଦରେ ମୋ ମୁଣ୍ଡରେ ବୁଦ୍ଧି ଖେଳିଗଲା-। ମୁଁ ସାଙ୍ଗେସାଙ୍ଗେ ଗଛ ଉପରକୁ ଉଠିଗଲି । ବୋଧହୁଏ ବାଘମାମୁଁର ଏତେବେଳ ସରିକି ହୋସ୍‍ ହେଲା ଯେ, ପାଟିରୁ ଖାଇବା ଜିନିଷ ଖସିଗଲା । ସେ ଗୋଟାଏ ଗର୍ଜନ କରି ଉଠି ଝାଡ଼ିଝୁଡ଼ି ହୋଇପଡ଼ିଲା । ଗଛମୂଳକୁ ଆସି ମୋତେ ହିଁ ଚାହିଁ ବସି ରହିଲା ।

 

ସାଙ୍ଗେସାଙ୍ଗେ ଅବଶ୍ୟ ବିପଦରୁ ରକ୍ଷା ମିଳିଗଲା; କିନ୍ତୁ ଏହା ପରେ କଅଣ ହେବ–ମୁଁ ଭାବିପାରୁ ନ ଥାଏ । ଗଛ ଡାଳରେ ମୁଁ, ଗଛ ମୂଳରେ ବାଘ । ସେ ମୋତେ ହିଁ ଏକଧ୍ୟାନରେ ଚାହିଁ ରହିଛି । ଜିଭ ବୁଲାଇ ମୁହଁଯାକ ଚାଟି ପକାଉଛି । ପାଞ୍ଚ ହାତ ଦୂରରେ ନଈ କୂଳରେ କୁମ୍ଭୀର । ତା ମୁହଁ ପାଖ ଶୁଖିଲାରେ, ଲାଞ୍ଜଆଡ଼ ଅଧିକ ପାଣିଭିତରେ । ଆଉ ପାଖଆଖରେ ସାହାପକ୍ଷ କେହି ନାହାନ୍ତି ।

 

ଗଛଉପରେ ବସି ତଳେ ଥିବା ଦୁଇଟି ସାକ୍ଷାତ ଯମଙ୍କୁ ଥରେ ଲେଖାଏଁ ଚାହିଁ ନେଲି । ତା ପରେ ଲଙ୍ଗଳା ହୋଇପଡ଼ିଲି; ଦେହରୁ ଜାମା ବି କାଢ଼ିପକାଇଲି । ଓଦା ଲୁଗାରେ ଜାମାକୁ ବାନ୍ଧି କୁମ୍ଭୀର ଆଗକୁ ପାଣିକୁ ଫିଙ୍ଗିଦେଲି ।

 

ପାଣିରେ ଲୁଗା ପଡ଼ି ଶବ୍ଦ ହେବା ସାଙ୍ଗେସାଙ୍ଗେ ବାଘ ପାଣିକୁ କୁଦିପଡ଼ିଲା । ଏଣେ କୁମ୍ଭୀର ବି ଶିକାର ଭାବି ଧଡ଼ାସ୍‍ କରି ଲେଉଟି ପଡ଼ିଲା । ବାଘ ପାଟିରେ ଲୁଗାପୁଡ଼ା, କୁମ୍ଭୀର ପାଟିରେ ବାଘର ଗୋଟାଏ ଗୋଡ଼ ।

 

କୁମ୍ଭୀର ବାଘକୁ ଟାଣୁଥାଏ ପାଣିଭିତରକୁ, ବାଘ କୁମ୍ଭୀରକୁ ମାଟିଉପରକୁ ଘୋଷାରୁଥାଏ । ବାଘ କୁମ୍ଭୀର ମୁହଁରେ କାମୁଡ଼ାଟାଏ ଦେଲାବେଳକୁ, କୁମ୍ଭୀରର ଲାଞ୍ଜପାହାର ଖୁବ୍‍ ଜୋରରେ ତା ପିଠିରେ ବସୁଥାଏ ।

 

ଗଛଉପରେ ବସି ଏ ବିପଦରେ ମଧ୍ୟ ମୁଁ ନ ହସି ରହି ପାରିଲି ନାହିଁ । ବାଘ କୁମ୍ଭୀରଙ୍କ ଯୁଦ୍ଧ କ୍ରମେ ପ୍ରବଳ ହୋଇ ଉଠିଲା । ଦୁହିଁଙ୍କ ଗର୍ଜନରେ ସେ ଜାଗା କମ୍ପିଗଲା । ନଈର ପାଣି ଦୁଇଭାଗ ହୋଇଗଲା ପରି ଦେଖାଯାଉଥାଏ ।

 

କିଛି ସମୟ ଲଢ଼େଇପରେ ସେ ଦୁହେଁ ସେଠାରେ ମରି ଶୋଇଲେ ।

 

-୬-

 

ବାଘକୁ ସମସ୍ତେ ଡରନ୍ତି । ବାଘକୁ ଦୂରରୁ ଦେଖିଲେ କି ବାଘ ଗର୍ଜନ ଶୁଣିଲେ, କିଏ ଯାଇ କୁଆଡ଼େ ଲୁଚନ୍ତି । କିନ୍ତୁ ବାଘ ସାପକୁ ଭାରି ଡରେ । ସାପ ଦେଖିଲେ ସେ ମୁଲକ ଛାଡ଼ି ବାଘ ପଳାଇଯାଏ । ଅକସ୍ମାତ୍‍ ଯଦି କୌଣସି ସାପ ସାଙ୍ଗରେ ତାର କେତେବେଳେ ଯୁଦ୍ଧ ଲାଗିଯାଏ, ତେବେ ବାଘ ତାକୁ ପାରେ ନାହିଁ । ଅବଶ୍ୟ ନାଗ, ଧଣ୍ଡ ଆଦିଙ୍କୁ ସେ ଖାତିର୍‍ କରେ ନାହିଁ । ବଣଭିତରେ ଥିବା ଅଜଗର, ଅହିରାଜ ପ୍ରଭୃତି ବଡ଼ ବଡ଼ ସାପ ସହିତ ଥରେଥରେ ବାଘର ଯୁଦ୍ଧ ଲାଗି ଯାଇ ଥାଏ । ସେ ଦିନ ବଣ ଥରିଉଠେ ।

ଥରେ ଦଳେ ଲୋକ ଜଙ୍ଗଲରୁ କାଠ ଆଣୁଥିଲେ । ବଡ଼ ବଡ଼ କାଠଗଡ଼ ସବୁ ଭେଳା କରି ବାନ୍ଧିଥାଆନ୍ତି । ନଈ ପାଣିରେ ସେ ଭେଳା ଭସାଇ ସହରକୁ ଆଣନ୍ତି । ଡଙ୍ଗାଉପରେ ବସି ଆହୁଲା ମାରିଲା ପରି ଭେଳା ଉପରେ ରହି ଆହୁଲା ପକାନ୍ତି । ସେ ଆହୁଲା ଯୋଗେ ଭେଳା ଭାସି ଭାସି ଆସେ ।

ଲୋକେ ଭେଳା ବାନ୍ଧିଲେ । ଖରା କାକରରୁ ରକ୍ଷା ପାଇବା ପାଇଁ ତା ଉପରେ ଗୋଟିଏ ଛୋଟିଆ କୁଡ଼ିଆ କଲେ; ମାତ୍ର କଅଣ ଅସୁବିଧା ହେବାରୁ ସାଙ୍ଗେସାଙ୍ଗେ ଭେଳା ଛାଡ଼ିଲେ ନାହିଁ, ଦୁଇ ଦିନ ସେଠାରେ ଅପେକ୍ଷା କଲେ ।

ବଡ଼ ଗରମ ହେଉଥାଏ, ତେଣୁ ସମସ୍ତେ ଭେଳା ଉପରେ ପଦାରେ ରହିଥାନ୍ତି । ସେ କୁଡ଼ିଆ ଭିତରକୁ ଯିବା ଦରକାର ପଡ଼ି ନ ଥାଏ । କିପରି ଗୋଟିଏ ବଡ଼ ଅହିରାଜ ସାପ ଆସି ରାତିରେ ସେ କୁଡ଼ିଆ ଭିତରେ ଆଶ୍ରୟ ନେଇଛି, ଲୋକେ ତାହା ମୋଟେ ଜାଣି ନ ଥାନ୍ତି ।

ସୁବିଧା ବେଳ ଦେଖି ସମସ୍ତେ ଆହୁଲା ପକାଇଲେ; ଭେଳା ଚାଲିଲା । ଲୋକେ ମନ ଖୁସିରେ ଗୀତଲହରୀ ଛାଡ଼ି ଦେଇଥାନ୍ତି ।

 

ଚାରି ପାଞ୍ଚ ମାଇଲ ବାଟ ଆସିଲା ପରେ ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡ଼ିଗଲେ । ଚାରିଆଡ଼ ଅନ୍ଧାର ହୋଇଆସିଲା । ବଣ ଭିତରୁ ବାଘ ଗର୍ଜନ ଶୁଣାଗଲା । ଲୋକଙ୍କ ମନରେ ଟିକିଏ ଭୟ ହେଲା, ମାତ୍ର ନଈ ମଝିରେ ଥିବାରୁ ସେପରି କିଛି ଛାନିଆ ହୋଇ ପଡ଼ିଲେ ନାହିଁ ।

 

ପ୍ରଥମେ ବାଁ ପାଖରୁ ଗର୍ଜନ ଶୁଭିଲା । ଲୋକମାନେ ଠିକ୍‍ କଲେ ଯେ, ଡାହାଣ ପାଖ କୂଳକୁ ଲଗାଇ ଭେଳା ଚଳାଇବେ । ତା ହେଲେ ବାଁ ପାଖ କୂଳ ବେଶି ଦୂର ରହିଯିବ । ବାଘ ଆସିଲେ ଏତେ ବାଟ ପାଣିରେ ପହଁରି ତାଙ୍କ ପାଖକୁ ଆସିପାରିବ ନାହିଁ । ସେମାନେ ଡାହାଣ କୂଳକୁ ଭେଳା ଘେନି ଆସିଲେ ।

 

ହଠାତ୍‍ ଡାହାଣ ପାଖ କୂଳରେ ଦୁଇଟା ଆଲୁଅ ଚିକ୍‌ଚିକ୍‌ କଲାପରି ଦେଖାଗଲା । ସେ ଆଲୁଅ ଦୁଇଟା ସତେ ଯେପରି ତାଙ୍କରି ଆଡ଼କୁ ଖୁବ୍‍ ଜୋରରେ ଆସୁଛି । ମୁହୂର୍ତ୍ତକ ପରେ ଦେଖାଗଲା କୂଳରେ ଗୋଟାଏ ମହାବଳ ବାଘ । ତାର ଆଖି ଦୁଇଟା ଆଲୁଅ ପରି ଜଳୁଛି ।

 

ଚାହୁଁଚାହୁଁ ବାଘ ଗୋଟାଏ ଗର୍ଜନ ଛାଡ଼ି କୁଦା ମାରିଲା । କୂଳଠାରୁ ଛ ସାତ ହାତ ଦୂରରେ ଭେଳା ଥାଏ । ଏକା କୁଦାକେ ବାଘ ଆସି ଭେଳାଉପରେ । ଭେଳାରେ ଥିବା ଲୋକଙ୍କ ଆଖି ବୁଜି ହୋଇଗଲା ।

 

ଦଇବଯୋଗକୁ ବାଘ କୌଣସି ମଣିଷ ଉପରେ ପଡ଼ିଲା ନାହିଁ; ପଡ଼ିଲା ଯାଇ ସେ କୁଡ଼ିଆ ଉପରେ । ତା ଧକ୍କା ଖାଇ କୁଡ଼ିଆଟି ଭାଙ୍ଗି ଚୂନା ହୋଇଗଲା ।

 

ଫଁ ଫଁ ଗର୍ଜନ ଶୁଣି ଲୋକେ ସେ ଆଡ଼କୁ ଚାହିଁଲେ । ଦେଖିଲେ, ଗୋଟାଏ ମସ୍ତବଡ଼ ଅହିରାଜ ସାପ ବଡ଼ ଫଣା ଟେକି ବାଘକୁ ଚାହିଁ ରହିଛି । ବାଘର ଗୋଟିଏ ପାଦ ତା ପିଠିଉପରେ ।

 

ଭେଳାଉପରେ ଦୁଇଟା ସାକ୍ଷାତ ଯମ–ଗୋଟାଏ ମସ୍ତବଡ଼ ଅହିରାଜ ଓ ଗୋଟାଏ ମହାବଳ ବାଘ । ଜୀବନକୁ ପାଣି ଛଡ଼ାଇ ସମସ୍ତେ ପାଣିକୁ ଡେଇଁପଡ଼ିବାକୁ ବାହାରିଲେ । ମାତ୍ର ମୁହୂର୍ତ୍ତକ ମଧ୍ୟରେ ବାଘ ଓ ସାପ ମଧ୍ୟରେ ଲଢ଼େଇ ଲାଗିଯିବାରୁ ଖଣ୍ଡେ ଦୂରରେ ଠିଆ ହୋଇ ଚାହିଁ ରହିଲେ ।

 

ସାପ ରାଗରେ ଗୋଟାଏ ଚୋଟ ବାଘ ମୁହଁକୁ ମାରିଲା । ବାଘ ତା ଫଣାଟାକୁ ପାଟିରେ କାମୁଡ଼ି ଧରି ପକାଇଲା । ସାପ ନିଜ ଲାଙ୍ଗୁଡ଼କୁ ଦୁଇ ଚାରି ଥର ତଳେ ପିଟି ଏପରି ବୁଲାଇ ଆଣିଲା ଯେ, ବାଘ ଦେହରେ ତିନି ପ୍ରସ୍ତ ଗୁଡ଼ାଇ ହୋଇଗଲା । ସାପ ଲାଙ୍ଗୁଡ଼କୁ ଚିପିଦେବା ସାଙ୍ଗେସାଙ୍ଗେ ବାଘ ଆଉ ଠିଆ ହୋଇ ରହିପାରିଲା ନାହିଁ; ଦଡ଼ଭୁସ୍‍କରି ଭେଳା ଉପରେ ପଡ଼ିଗଲା-। ଦୁହେଁଯାକ ଥରେ ଦୁଇଥର ଗଡ଼ାପଡ଼ା ହେଲେ । ବାଘ ସାପର ବନ୍ଧନ ଫିଟାଇବାକୁ ଖୁବ୍‍ ଟଣା ଓଟରା କରୁଥାଏ, ତେଣେ ସାପ ସେତିକି ଜୋରରେ ଭିଡ଼ି ହେଉଥାଏ ।

 

ଗଡ଼ାଗଡ଼ି ହୋଇ ଦୁହେଁଯାକ ପାଣିଭିତରେ ପଡ଼ିଗଲେ । ପାଣିରେ ପୁରୁଷେ ଉଚ୍ଚର ଲହଡ଼ି ଉଠିଲା । ଭେଳା ହାଲୁକା ହୋଇଗଲା । ଲୋକମାନେ ପାରୁପର୍ଯ୍ୟନ୍ତ ଆହୁଲା ପକାଇ ଭେଳା ଚଳାଇଲେ । ଆଉ ମୁହୂର୍ତ୍ତେ ସେଠାରେ ରହିଲେ ନାହିଁ ।

 

-୭-

 

ଆଗେ ଦେଶରେ ରେଳଗାଡ଼ି ଚାଲି ନ ଥିଲା । ଲୋକେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଘୋଡ଼ା, ନ ହେଲେ ବଳଦଗାଡ଼ିରେ ଯା ଆସ କରୁଥିଲେ ।

 

ବ୍ରହ୍ମଦେଶର ରାଜଧାନୀ ରେଙ୍ଗୁନ୍‍ । ସେଠାରେ ଉଶ ବୋଲି ଜଣେ ବେପାରୀ ଥିଲେ । ତାଙ୍କର କାରବାର ବେଶି ମାଣ୍ଡାଲେରେ ହୁଏ । ରେଙ୍ଗୁନ୍‍ରୁ ମାଣ୍ଡାଲେ ବହୁତ ଦୂର । ବାଟରେ ବଡ଼ ବଣ ଜଙ୍ଗଲ ପଡ଼େ । ଉଶ ଥରେ ମାଣ୍ଡାଲେ ଗଲାବେଳେ ବାଘ ହାବୁଡ଼ରେ ପଡ଼ିଥିଲେ । ସେ ବାଘମୁହଁରୁ କିପରି ରକ୍ଷା ପାଇଥିଲେ, ତାହା ନିଜେ ବର୍ଣ୍ଣନା କରିଅଛନ୍ତି ।

 

ସେ ଲେଖିଛନ୍ତି–ମୁଁ ଖବର ପାଇଲି ଯେ, ଶୀଘ୍ର ମାଣ୍ଡାଲେ ନ ଗଲେ ମୋର ବହୁତ କ୍ଷତି ହୋଇଯିବ । ଆଉ ସାଙ୍ଗସାଥି ଖୋଜିବାକୁ ମୋତେ ସମୟ ନ ଥିଲା । ଆମ ସହରର କେତେକ ଲୋକ ଗୁଡ଼ିଏ ଘୋଡ଼ା ରଖିଥାନ୍ତି । ସେହି ଘୋଡ଼ାକୁ ଭଡ଼ା ଲଗାନ୍ତି । ମୁଁ ଗୋଟିଗୋଟି ହୋଇ ବହୁତ ଘୋଡ଼ାମାଲିକଙ୍କ ପାଖକୁ ଗଲି । ମାତ୍ର ସମସ୍ତଙ୍କ ଘୋଡ଼ା ଭଡ଼ା ଲାଗିଯାଇ ଥାଆନ୍ତା । ଶେଷରେ ଜଣେ ଲୋକ କହିଲା–ମୋର ଗୋଟିଏ ଘୋଡ଼ା ଅଛି, ମାତ୍ର ମୁଁ ତାକୁ ଦେବି ନାହିଁ; କାରଣ ସେ ବଡ଼ ଦୁଷ୍ଟ ।

 

ମୋର ତ ନିତାନ୍ତ ଘୋଡ଼ା ଦରକାର । ମୁଁ ସେହି ଘୋଡ଼ାକୁ ନେବାକୁ ଜିଦ୍‍ ଲଗାଇଲି । ଯାହା ଭଡ଼ା ଦିଆଯାଏ, ତାର ଦେଢ଼ଗୁଣ ଗଣିଦେଲି । ଲୋକଟି ବାଧ୍ୟ ହୋଇ ଘୋଡ଼ା ମତେ ଦେଲା-

 

ମୁଁ ଘୋଡ଼ା ଚଢ଼ିବାରେ ବେଶ୍‍ ଦକ୍ଷ । ଘୋଡ଼ାପିଠିରେ ବସିଲାକ୍ଷଣି ସେ ବହୁତ ଡେଇଁଲା-। ପଛର ଦୁଇ ଗୋଡ଼ ଟେକି ମୋତେ ପକାଇଦେବାକୁ ଚେଷ୍ଟା କଲା; ମାତ୍ର ମୁଁ ଦୃଢ଼ ହୋଇ ବସିଥାଏଁ । ଖୁବ୍‍ ଜୋରରେ ଚାବୁକ ମାରୁଥାଏଁ । କିଛି ସମୟ ଡିଆଁଡେଇଁ କଲା ପରେ ଘୋଡ଼ା ବୁଝିଗଲା ଯେ, ସେ ଯେପରି ଦୁଷ୍ଟ, ତାକୁ ସୁଆର ମିଳିଛି ସେହିପରି ପାଜି । ଅନ୍ୟ ଉପାୟ ନ ପାଇ ସେ ବାଟ ଚାଲିଲା ।

 

ଗୋଟିଏ ବଣଭିତରେ ରାତି ହେଲା । ଘାଟି ଜାଗା ଆଉ ଚାରି ମାଇଲ ଦୂରରେ । ସେଇତକ ବାଟ ଗଲେ ରାତିକ ସେଠାରେ ବିଶ୍ରାମ ନେବି–ଏହା ଭାବି ମୁଁ ଘୋଡ଼ା ପିଠିରେ ଜୋରରେ ଚାବୁକ ମାଇଲି । କିନ୍ତୁ ଘୋଡ଼ା ଖୋଜେ ହେଲେ ଆଉ ଆଗକୁ ଗୋଡ଼ ପକାଇଲା ନାହିଁ-। ବଣମଝିରେ ପଥର ପରି ଠିଆ ହୋଇ ରହିଲା ।

 

ଏହି ସମୟରେ ଅଳ୍ପ ଦୂରରେ ବାଘ ଗର୍ଜନ ଶୁଣାଗଲା । ମୋର ହାଲୁକ ଶୁଖିଗଲା । ମୁଁ ଧାରଣା କରିନେଲି ଯେ, ଆଜି ଏହିଠାରେହିଁ ବାଘ ମୁହଁରେ ମରିବି । ପାଖରେ କେହି ନାହାନ୍ତି, ଘୋଡ଼ା ବି ପାଦେ ଚାଲୁ ନାହିଁ । ଏପରି ଅବସ୍ଥାରେ ଉପାୟ କଅଣ ?

 

ବାଘ ଗର୍ଜନ ଶୁଣିବାକ୍ଷଣି ଘୋଡ଼ା ଜୋରରେ ଦଉଡ଼ିଲା । ସେ ଯଦି ଠିକ୍‍ ବାଟରେ ଯାଇଥାନ୍ତା, ତେବେ ଅଳ୍ପ ସମୟ ମଧ୍ୟରେ ବଣ ଟପି ମୁଁ ଘାଟିରେ ପହଞ୍ଚିଥାନ୍ତି । ମାତ୍ର ଘୋଡ଼ା ନିଘୋଡ଼ ବଣଭିତରକୁ ଧପାଲିଥାଏ । ଚାରିଆଡ଼େ ଗଛଲତା ଛନ୍ଦାଛନ୍ଦି; ତଳେ କଣ୍ଟାବୁଦା ।

 

ବାଘ ଗର୍ଜନ କ୍ରମେ ନିକଟରେ ଶୁଣାଗଲା । ମୁଁ ପଛକୁ ଚାହିଁ ଦେଖିଲି; ଘୋଡ଼ା ପଛେପଛେ ବାଘ ଧାଇଁଛି । ମୁଁ ମୋ ଜୀବନକୁ ପାଣି ଛଡ଼େଇଦେଲି ।

 

ସେତିକିବେଳେ ଗୋଟାଏ ଗଛର ଡାଳ ମୋ ମୁଣ୍ଡରେ ବାଜିଲା । ହଠାତ୍‍ ମୋତେ ଗୋଟାଏ ବୁଦ୍ଧି ଦେଖାଗଲା । ମୁଁ ସେ ଡାଳଟାକୁ ଧରି ଓହଳିପଡ଼ିଲି । ଘୋଡ଼ା ବିନା ସୱାରରେ ଦଉଡ଼ି ଚାଲିଗଲା ।

 

ମାତ୍ର ଦଶ ପନ୍ଦର ହାତ ଯାଇଛି କି ନାହିଁ, ବାଘ ଗୋଟାଏ କୁଦାରେ ତା ପିଠିଉପରେ ବସିପଡ଼ିଲା । ମୁଁ ଯଦି ସେହି ମୁହୂର୍ତ୍ତରେ ତା ପିଠିରୁ ଖସିଯାଇ ନ ଥାନ୍ତି, ତେବେ ବାଘ ମୋରି ଉପରେ ହିଁ ପଡ଼ିଥାନ୍ତା । ଯାହାହେଉ, ଠାକୁରେ ମତେ ରକ୍ଷା କରିଦେଲେ ।

 

ଘୋଡ଼ା ବୋଧହୁଏ ଭାବିଥିବ, ତା ପିଠିରେ ଆଗର ସେହି ସୱାର ବସିଛି । କିନ୍ତୁ ଯେତେବେଳେ ବାଘ, ତା ବେକରେ ମୁନିଆଁ ଦାନ୍ତ ଗଳାଇଦେଲା, ସେତେବେଳେ ସେ ମନେ କରିଥିବ ଯେ, ଏ ତ ମହା ବିଷମ କଥା; ଏ କି ପ୍ରକାରର ସୱାର ?

 

ଜୋରରେ ଘୋଡ଼ା ଆଉ ଦଶ ପନ୍ଦର ଖୋଜ ଦଉଡ଼ିଗଲା । ତା ପରେ ବିକଳରେ ଗଁ ଗଁ ହୋଇ ସେଠାରେ ପଡ଼ିଗଲା । ବାଘ କିଛି ସମୟ ତା ରକ୍ତ ପିଇଲା । ତା ପରେ ତାକୁ ପାଟିରେ କାମୁଡ଼ି ଧରି ବଣଭିତରକୁ ଚାଲିଗଲା ।

 

-୮-

 

ଅନେକ ଦିନର କଥା । ଓଡ଼ିଶାର ଗୋଟିଏ ଗଡ଼ଜାତରେ ବାଘ ମାତିଥାଏ । ବହୁତ ଶିକାରୀ ବାଘ ମାରିବାକୁ ଗଲେ; ମାତ୍ର ବାଘଟା ଭାରି ଚାଲାକ । ଶିକାରୀ ତାକୁ ଆଖିଆଗରେ ଦେଖନ୍ତି; ଠିକ୍‍ ବନ୍ଧୁକ ଫୁଟିଲାବେଳକୁ ସେ କୁଆଡ଼େ ଅଦୃଶ୍ୟ ହୋଇଯାଏ । କେହି ତାକୁ ମାରିପାରିଲେ ନାହିଁ; କିନ୍ତୁ ପ୍ରତିଦିନ ସେ ମଣିଷ ମାରି ଆନନ୍ଦରେ ଖାଉଥାଏ ।

ଶେଷକୁ ରାଜ୍ୟର ଦେୱାନ ବାଘ ମାରିବାକୁ ବାହାରିଲେ । ତାଙ୍କର ଭାରି ଗର୍ବ ଯେ, ସେ ବଡ଼ ସାହସୀ । ହାବୁଡ଼ରେ ପଡ଼ିଲେ ଗୋଟାଏ କାହିଁକି, ଦଶଟା ବାଘ ବି ମାରିଦେଇ ପାରିବେ । ସେହି ସମୟରେ ଜଣେ ବୁଢ଼ା ଶିକାରୀ ବି ଆସି ଦେୱାନଙ୍କ ପାଖରେ ପହଞ୍ଚିଲେ । ସେ ସେହି ରାଜ୍ୟର ଗୋଟିଏ ଗାଁ ସର୍ଦ୍ଦାର । ସେ ଜୀବନରେ ବହୁତ ବାଘ ମାରିଛନ୍ତି । ତେଣୁ ତାଙ୍କୁ ସମସ୍ତେ ବାଘୁଆ ସର୍ଦ୍ଦାର ବୋଲି ଡାକନ୍ତି ।

ବାଘୁଆ ମୁହଁରେ ଲମ୍ବା ଦାଢ଼ି, ମୁଣ୍ଡରେ ଗୋଟାଏ ମସ୍ତବଡ଼ ପଗଡ଼ି । ଦେୱାନସାହେବ ସେ ପଗଡ଼ି ଦେଖିଲାକ୍ଷଣି ତ ଆଗେ ବୁହେ ହସି ପକାଇଲେ । ଥଟ୍ଟା କରି କହିଲେ–ଯାହାହେଉ, ବାଘ ମାର ନ ମାର, ତୁମ ପଗଡ଼ି ଦେଖିଲେ ବାଘ ଛାନିଆଁ ହୋଇଯିବ ।

ବାଘୁଆ ବୁଢ଼ା ଏ ଥଟ୍ଟା କଥା ବୁଝିପାରିଲା । ଅଳ୍ପ ହସି ଉତ୍ତର ଦେଲା–“ମୁଁ ଯେଉଁ ଦିନ ପ୍ରଥମ ବାଘ ମାଇଲି, ସେହି ଦିନ ବୁଢ଼ାରାଜା ମୋତେ ଏହି ଶିରପା ଉପହାର ଦେଇଥିଲେ । ସେହି ଦିନୁ ଯେତେ ଥର ମୁଁ ଶିକାରକୁ ଯାଇଛି, ସବୁ ଥର ଏହି ଶିରପା ମୁଣ୍ଡରେ ବାନ୍ଧି ଯାଏଁ । ମୁଁ ମୋ ଜୀବନରେ ପନ୍ଦରଟା ମହାବଳ ବାଘ ମାଇଲିଣି, କୌଣସି ଥର ଏ ଶିରପାକୁ ଛାଡ଼ି ନାହିଁ ।’’

ଯାହାହେଉ ଦେୱାନସାହେବ ହାତୀ ଉପରେ ବସି ଶିକାରକୁ ବାହାରିଲେ । ସାଙ୍ଗରେ ବୁଢ଼ା ବାଘୁଆ ଓ ଆଉ କେତେକ ଲୋକ ଥାଆନ୍ତି ।

ଦିନକ ପରେ ବାଘ ମାତିଥିବା ଗାଁ ପାଖରେ ପହଞ୍ଚିଲେ । ପ୍ରଥମେ ସମସ୍ତେ ବଣଭିତରକୁ ବୁଲି ବାହାରିଲେ–ଆଗ ସବୁ ଜାଗା ପରୀକ୍ଷା କରିନେବେ, କେଉଁଠାରେ ମଞ୍ଚା ବନ୍ଧା ହେବ, କେଉଁଠି ବୁଢ଼ା ଜଗିବ, ଛେଳିକୁ କେଉଁ ଜାଗାରେ ବାନ୍ଧିବାକୁ ପଡ଼ିବ–ଏହା ସବୁ ଆଗରୁ ଠିକ୍‍ ହେବା ଦରକାର । ଦିନରୁ ମଞ୍ଚା ବନ୍ଧା ହୋଇଗଲା, ରାତିରେ ତା ଉପରେ ବସି ବାଘକୁ ଛକିବାକୁ ହେବ ।

ଦେୱାନସାହେବ ହାତୀ ଉପରେ ବସିଅଛନ୍ତି । ବୁଢ଼ା ବାଘୁଆ ଓ ଆଉ ସବୁ ପାଖଲୋକେ ଚାଲିଚାଲି ଯାଉଛନ୍ତି । ବଣର କେତେକ ସ୍ଥାନ ବୁଲିଲେ; ମାତ୍ର କେଉଁଠି ମଞ୍ଚା ପାଇଁ ସୁବିଧା ଜାଗା ପାଇଲେ ନାହିଁ ।

ହଠାତ୍‍ ବାଘୁଆ ଠିଆ ହୋଇଗଲା । ସମସ୍ତେ ସାବଧାନ ହେବାକୁ ଚମିକିଲା ଭଳି କହିଲା, “ବାଘ ଏଇ ପାଖରେ କେଉଁଠି ଅଛି” । ସମସ୍ତେ କନକନ ହୋଇ ଚାରିଆଡ଼କୁ ଚାହିଁବାକୁ ଲାଗିଲେ ।

ଆଠ ଦଶ ହାତ ଦୂରରେ ବଣର ବୁଦା ଦୋହଲି ଗଲା । ସମସ୍ତଙ୍କ ଆଖି ସେଠାରେ ପଡ଼ିଲା । ଦେଖାଗଲା, ବାଘଟା ନିଶ୍ଚିନ୍ତ ମନରେ ସେହିଠାରେ ଶୋଇରହିଛି । ସେ କେତେବେଳୁ ଏମାନଙ୍କୁ ଦେଖିସାରିଲାଣି । ଏମାନଙ୍କ ଗତିବିଧି ଉଣ୍ଡିବାକୁ ମୁଣ୍ଡ ଟେକି ଚାହିଁଛି ।

ଦେୱାନ ହାତୀ ଉପରୁ ବନ୍ଧୁକ ଲକ୍ଷ କଲେ । ଗୁଳି ଟିପିବାକୁ ଯାଉଛନ୍ତି, ବାଘ ଉଠି ମାରିଲା ଡିଆଁ । କ୍ଷଣକ ମଧ୍ୟରେ କୁଆଡ଼େ ଅଦୃଶ୍ୟ ହୋଇଗଲା । ପାଞ୍ଚ ସାତ ମିନି‍ଟ୍‍ ଯାଏ ଯେତେ ଖୋଜାଖୋଜି ହେଲା, ଆଉ ତାର ପତ୍ତା ମିଳିଲା ନାହିଁ ।

ଦେୱାନଙ୍କ ମନରେ ବୋଧହୁଏ ଟିକିଏ ଭୟ ହୋଇ ଯାଇଥିଲା । ସେହିଠାରୁ ଫେରି ଆସିବାକୁ ସେ ଲୋକଙ୍କୁ କହିଲେ; କିନ୍ତୁ ବାଘୁଆର ଫେରିବାକୁ ଇଚ୍ଛା ନ ଥାଏ ।

ଏହି ସମୟରେ ପଛଆଡ଼ୁ ଗୋଟାଏ ଗର୍ଜନ ଶୁଣାଗଲା । ମୁହୂର୍ତ୍ତକ ମଧ୍ୟରେ ବାଘ ପଛପଟୁ ଏପରି ଏକ କୁଦା ମାଇଲା ଯେ, ଯାଇ ହାତୀ ପିଠି ଉପରେ । ଦେୱାନ ବାଘ ଧକ୍କା ଖାଇ ହେଉ ବା ପ୍ରାଣଭୟରେ ହେଉ ହାତୀ ପିଠିଉପରୁ ଗଡ଼ି ଗଡ଼ି ଆସି ତଳେ ପଡ଼ିଗଲେ ।

ହାତୀ ଜାଣିପାରିଲା ଯେ, ପିଠି ଉପରେ ବାଘ । ସେ ଥୋରପାହାର ଉଠାଇ ପିଟିବାକୁ ଲାଗିଲା । ତା ବେକମୂଳ ଓ ଶୁଣ୍ଢ ବାଘ କାମୁଡ଼ାରେ ଦୁଇ ଚାରିଜାଗା ଖଣ୍ଡିଆ ହୋଇଗଲା; ରକତ ବହି ପଡ଼ୁଥାଏ । ତଥାପି ସେ ପିଠିଉପରୁ ବାଘକୁ ପକାଇ ଦେବାକୁ ନାନା ଚେଷ୍ଟା କରୁଥାଏ ।

 

ବାଘ ଆଉ ଥୟ ହୋଇ ସେଠାରେ ରହିପାରିଲା ନାହିଁ । ତଳେ ପଡ଼ିଥିବା ଦେୱାନଙ୍କ ଉପରକୁ କୁଦିପଡ଼ିବାକୁ ବସିଲା । ଏହି ସମୟରେ ବାଘୁଆ ବାଘକୁ ଦେଖାଇ ବନ୍ଧୁକ ଟିପିଲା । ବାଘ ହଠାତ୍‍ ତା ଉପରକୁ କୁଦିପଡ଼ିଲା । ଗୁଳି ଲକ୍ଷ୍ୟ ଠିକ୍‍ ରହିଲା ନାହିଁ ।

 

ହାତୀ ପିଠିରୁ ଡେଇଁ ବାଘ ଆସି ପଡ଼ିଲା ବୁଢ଼ାଉପରେ । ତା ଧକ୍କାରେ ବୁଢ଼ା ତଳେ ପଡ଼ିଗଲା ।

 

ସେତେବେଳକୁ ଦେୱାନ ବହୁ କଷ୍ଟରେ ତଳୁ ଉଠି ଠିଆ ହେଲେଣି । ଲୋକମାନେ ଗଛ ଉହାଡ଼ରେ ଲୁଚି ଯାଇଥିଲେ, ସେମାନେ ଆସି ରୁଣ୍ଡ ହେଲେଣି । ସମସ୍ତେ ଦେଖିଲେ, ବାଘୁଆ ବୁଢ଼ା ତଳେ ପଡ଼ିଛି । ତା ଦେହ ଘାସବୁଦା ଭିତରେ ଥିବାରୁ ଦେଖାଯାଉ ନାହିଁ । ବାଘ ତା ଉପରେ ବସିଛି-

 

ସମସ୍ତେ ଜାଣିଗଲେ ବୁଢ଼ା ବିଚରା ମଲା । ବନ୍ଧୁକ ମାରି ହେଉ ନାହିଁ, କାରଣ ବାଘକୁ ମାରୁ ମାରୁ ଯଦି ବୁଢ଼ା ଦେହରେ ବାଜେ ! ଆଉ ବନ୍ଧୁକ ଉଠାଇ ମାରିବାକୁ ସାହସ ବି କାହାରି ସେତେବେଳେ ନ ଥାଏ ।

 

ସମସ୍ତେ ଏକଧ୍ୟାନରେ ବାଘକୁ ଚାହିଁ ରହିଥାନ୍ତି । ମୁହୂର୍ତ୍ତକ ପରେ ବାଘୁଆ ବୁଢ଼ା ଉପରକୁ ଉଠିଆସିଲା । ତା ମୁଣ୍ଡରେ ସେ ପଗଡ଼ି ନ ଥାଏ । ବାଘ ତଳେ ପଡ଼ି ଗର୍ଜନ ଛାଡ଼ୁଥାଏ, ବାଘୁଆ ଉପରେ ବସି ତାକୁ ମାଡ଼ ଚଢ଼ାଉଥାଏ ।

 

ଦେୱାନ ଜାଣିଲେ ଯେ, ବାଘର ଆଉ ଉଠିବାର କ୍ଷମତା ନାହିଁ । ସେ ବାଘର ପାଖକୁ ଆସିଲେ । ସେତେବେଳେ ବାଘ ତଳେ ପଡ଼ିଥାଏ, ତା ଆଗ ଗୋଡ଼ ଦୁଇଟା ବୁଢ଼ାର ଶିରପା ଦେହରେ ଛନ୍ଦି ହୋଇ ଯାଇଥାଏ । ବେକରୁ ଅଧେ କାଟି ହୋଇ ଯାଇଥିବାରୁ ଝରଝର ରକ୍ତ ବହୁଥାଏ ।

 

ବାଘୁଆ ବୁଢ଼ା ବାଘକୁ ମାରିସାରି ଠିଆ ହୋଇ ଅଣ୍ଟା ସଳଖିଲା । ତା ପରେ ବାଘ ଗୋଡ଼ରୁ ନିଜ ଶିରପା ଛଡ଼ାଇ ବାହାର କଲା । ସାଙ୍ଗେସାଙ୍ଗେ ତାହାକୁ ଝାଡ଼ି ପୁଣି ମୁଣ୍ଡରେ ଗୁଡ଼ାଇଲା ।

 

ଦେୱାନଙ୍କ ଆଡ଼କୁ ଚାହିଁ କହିଲା–“ପଗଡ଼ିର କରାମତି ଦେଖିଲେ ତ । ବାଘ ହାତୀ ପିଠିରୁ ଆପଣଙ୍କ ଉପରକୁ ଡେଉଁଥିଲା । ତାକୁ ଭୁଲାଇବା ପାଇଁ ମୁଁ ବନ୍ଧୁକ ମାଇଲି । ବାଘ ମୋ ଉପରକୁ ଡେଇଁପଡ଼ିଲା । ସେତେବେଳକୁ ମୁଁ ତଳେ ବସି ପଡ଼ିଥାଏଁ । ବାଘ ଆସି ମୋ ପଗଡ଼ି ଉପରେ ପଡ଼ିଲା । ତାର ଆଗ ଦୁଇ ଗୋଡ଼ର ନଖ ସେ ପଗଡ଼ିରେ ଏମିତି ଛନ୍ଦି ହୋଇଗଲା ଯେ, ବାଘ ବନ୍ଧନରେ ପଡ଼ିଗଲା । ଅନ୍ୟ ଉପାୟ ନ ଦେଖି ମୋତେ କାମୁଡ଼ିବାକୁ ମୁହଁ ବଢ଼ାଇଲା । ମୁଁ ଅଣ୍ଟାର ଛୁରାଟା ବାହାର କରି ହାତରେ ଧରିଥିଲି । ଗୋଟାଏ ଭୁସାରେ ତା ବେକରୁ ଅଧେ କଟିଗଲା । ସେ ଆଉ କାମୁଡ଼ିବ କଅଣ, ସେଇଠି ବେକକୁ ଭାଙ୍ଗିଦେଲା । ମୁଁ ତାକୁ ତଳକୁ ଗଡ଼ାଇ ପକାଇଲି, ପ୍ରଥମେ ତା ପାଟିରେ ହାତ ପୁରାଇ ତା ଜିଭଟା କାଟିଦେଲି ।”

 

ଦେୱାନ ଯେଉଁ ପଗଡ଼ି ଦେଖି ଥଟ୍ଟା କରୁଥିଲେ, ତାର କରାମତି ଦେଖିଲେ; ଆଉ ଜାଣିପାରିଲେ ଯେ, ବାଘ ଶିକାର ତାଙ୍କ ହାତରେ ହେବ ନାହିଁ ।

 

ବାଘୁଆକୁ ସେ ପଚିଶ ଟଙ୍କା ବକ୍‌ଶିସ୍‌ ଦେଇଥିଲେ ।

 

-୯-

 

ସୁନ୍ଦରବନ ଭିତରେ ଜଣେ ଜଙ୍ଗଲ ଅଫିସର ରହିଥାନ୍ତି । ଦିନେ ସେ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ସେଠାରେ ଭୋଜି ସରୁ ସରୁ ରାତି ହୋଇଗଲା ।

 

ଅଫିସର ଖାଇସାରି ଘରକୁ ଫେରିଲେ । ଅନ୍ଧାର ରାତି, ପୁଣି ବଣରେ ବାଘ ଭାଲୁଙ୍କ ଭୟ । ସେଇଥିପାଇଁ ରାତିଟା ସେଠାରେ ରହିଯିବାକୁ ସମସ୍ତେ ଲଗାଇଲେ । ମାତ୍ର ଅଫିସର କାହାରି କଥା ନ ମାନି ଘରକୁ ଚାଲିଆସିଲେ ।

 

ବଣରେ ଲୋକେ ବାଘ ମାରିବାପାଇଁ ଗୋଟାଏ ଗୋଟାଏ ଖାଲ ଖୋଳିଥାଆନ୍ତି । ତା ମୁହଁରେ ଡାଳପତ୍ର ଭଲରୂପେ ଘୋଡ଼ାଇ ଦେଇଥାଆନ୍ତି । ତଳେ ଛେଳି ବା ମେଣ୍ଢାଟିଏ ବାନ୍ଧି ଥାଆନ୍ତି । ବାଘ ସେ ଛେଳି ବା ମେଣ୍ଢା ଶବ୍ଦ ଶୁଣି ତାକୁ ଖାଇବାକୁ ଗଲାବେଳେ ଖାଲଭିତରେ ଗଳିପଡ଼େ ଆଉ ଉଠିପାରେ ନାହିଁ । ପର ଦିନ ଲୋକେ ଆସି ପିଟି ପିଟି ତାକୁ ମାରି ପକାନ୍ତି ।

 

ଅଫିସର ଶୀଘ୍ର ବାଟ ଚାଲୁ ଚାଲୁ ସେହିପରି ଏକ ଖାଲ ଭିତରେ ଗଳିପଡ଼ିଲେ । ମୁହୂର୍ତ୍ତକ ମଧ୍ୟରେ ଉଠି ଝାଡ଼ିଝୁଡ଼ି ହେଲେ; କିନ୍ତୁ ଉପରକୁ ଉଠିବାର ଉପାୟ ନାହିଁ । ରାତି ପାହିବା ଯାଏ ସେହିଠାରେ ବସି ରହିବେ ବୋଲି ଠିକ୍‍ କଲେ । ସମୟ କଟାଇବା ପାଇଁ ପକେଟରୁ ବର୍ମା ଚୁରୁଟ୍‍ ଓ ଡିଆସିଲି ବାହାର କରି ଗୋଟାଏ ଚୁରୁଟ୍‍ ଲଗାଇଲେ ।

 

କିଛି ସମୟ ପରେ ଗୋଟାଏ ବଡ଼ ଶବ୍ଦ ଶୁଣାଗଲା । ସେ ମୁହଁ ବୁଲାଇ ଦେଖିଲେ, ତାଙ୍କ ପାଖରେ ଗୋଟାଏ ଖୁବ୍‍ ବଡ଼ ମହାବଳ ବାଘ । ଦୁହିଙ୍କ ଭିତରେ ଦୂରତ୍ଵ ମାଟେ ଚାରି ହାତ ।

 

ସେତେବେଳେ ଅଫିସରଙ୍କ ମନ ଯାହା ହୋଇଥିବ, ତାହା ଠାକୁରେ ଜାଣନ୍ତି । କିନ୍ତୁ ବାଘଟା ବୋଧହୁଏ ଏପରି ଗୋଟାଏ ଶିକାର ପାଇ ଖୁବ୍‍ ଖୁସି ହୋଇଗଲା ।

 

ଅଫିସର ଚାହିଁ ଦେଖିଲେ, ବାଘ ତାଙ୍କ ଆଡ଼କୁ କୁଦିପଡ଼ିବା ଉଦ୍ଦେଶ୍ୟରେ ଅଛି; କିନ୍ତୁ ତାଙ୍କ ପାଟିକୁ ଏକ ଧ୍ୟାନରେ ଚାହିଁ ରହିଛି । ସେ ଯେତେବେଳେ ଚୁରୁଟ୍‍ ଟାଣିଦେଉଛନ୍ତି, ସେତେବେଳେ ନିଆଁ ଚିକ୍‍ ଚିକ୍‍ କରି ଉଠୁଛି, ଗାତ ଭିତରେ ଧୂଆଁ ଖେଳେଇ ହୋଇ ଯାଉଛି । ସେହି ସମୟରେ ବାଘ ଭୟରେ ଅଳ୍ପ ପଛକୁ ଘୁଞ୍ଚିଯାଉଛି ।

 

ସେ ଥିର୍‍ ହୋଇ ବସି କେବଳ ଚୁରୁଟ୍‍ ଟାଣିବାରେ ଲାଗିଗଲେ । ପକେଟ ଦରାଣ୍ଡି ଆଉ ଗୋଟାଏ ଚୁରୁଟ୍‍ ବାହାର କଲେ । ବେଶି ଧୂଆଁ ହେବା ପାଇଁ ଦୁଇଟା ଯାକ ଏକାବେଳକେ ଟାଣିଲେ ।

 

ଧୂଆଁ ଦେଖି ବାଘ ପାଖକୁ ଆସିବାକୁ ସାହସ କରୁ ନ ଥାଏ ।

 

ଗୋଟି ଗୋଟି କରି ପାଞ୍ଚଟି ଚୁରୁଟ୍‍ ସେ ଲଗାଇଲେ । ଧୂଆଁରେ ସେ ଖାଲଟା ଆଚ୍ଛନ୍ନ ହୋଇଗଲାଣି ।

 

ଅଫିସର ପକେଟରେ ହାତ ମାରି ଦେଖିଲେ, ଆଉ ମାତ୍ର ଗୋଟିଏ ଚୁରୁଟ୍‍ ରହିଛି । ଏଣେ ରାତି ମଧ୍ୟ ପାହିଆସିଲାଣି । ଚୁରୁଟ୍‍ ଖାଇଖାଇ ତାଙ୍କ ମୁଣ୍ଡ ଧରି ଯାଇଥିଲା । କେତେବେଳେ ଯେ ସେ ଅଚେତ ହୋଇ ପଡ଼ିଛନ୍ତି, ତାହା ଆଉ ଜାଣନ୍ତି ନାହିଁ ।

 

ଡାକ୍ତରଖାନାରେ ତାଙ୍କର ଚେତା ହେଲା । ସେତେବେଳେ ତାଙ୍କ ବନ୍ଧୁ ସେଠାରେ ଥିଲେ-। ସେ କହିଲେ, “କେତେକ ଲୋକ ଆସି ମୋତେ ଖବର ଦେଲେ ଯେ, ଖାଲଭିତରେ ବାଘ ପଡ଼ିଛି-। ମୁଁ ସାଙ୍ଗେସାଙ୍ଗେ ଯାଇ ଗୁଳି କରି ବାଘକୁ ମାରିଦେଲି । ଭିତରେ ପଶି ବାଘକୁ ଉଠାଇଲାବେଳେ ଦେଖାଗଲା ଯେ, ସେଥିରେ ତୁମେ ମଧ୍ୟ ଅଚେତ ହୋଇ ପଡ଼ିରହିଛ । ମୁଁ ଭାବିଥିଲି, ତୁମେ ନିଶ୍ଚୟ ମରିଯାଇଥିବ । କିନ୍ତୁ ଡାକ୍ତର ସେବା ଶୁଶ୍ରୂଷା କରିବାରୁ ତୁମର ଏବେ ଚେତା ହେଲା ।”

Image